ବିହାର : ବିହାର ଭଭୁଆ ସହରରେ ଥିବା ଏକ ରେଷ୍ଟୁରାଣ୍ଟର ଖାଦ୍ୟ ଗୋଟେ ପରିବାରକୁ ଛାରଖାର କରିଦେଇଛି । ଏଠାରୁ ପ୍ୟାକ୍ କରିନେଇଥିବା ମଞ୍ଚୁରିଆନ ଏବଂ କଢାଇ ପନିର ଖାଇବାର କିଛି ଘଣ୍ଟା ଭିତରେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଛୋଟ ଭାଇ ବିନାୟକ ଏକ ସାଙ୍ଗ ଦେବରାଜ ଗୁରୁତର ରହିଛନ୍ତି ।
ସୂଚନା ମୁତାବକ, ସାରଙ୍ଗପୁର ନିବାସୀ ମାର୍କଣ୍ଡେୟ ତିୱାରୀଙ୍କ ପୁଅ ବିଶାଲ ୩ ଜଣ ସାଙ୍ଗ ସହିତ ରାତି ୧୦.୩୦ରେ ଖାଇଥିଲେ । ଅଧରାତିରେ ବାନ୍ତି କରିବା ଯୋଗୁଁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୋର ୪.୩୦ ମିନିଟରେ ଭଭୁଆ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶାଲଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଅଭିଯୋଗ ଅନୁଯାୟୀ, ହସପିଟାଲରେ ବିନା ଇସିଜିରେ ତାଙ୍କ ପୁଅକୁ ମୃତ ଘୋଷଣା କରାଯାଇଥିଲା, ଆଉ କହିବାରୁ ର୍ଦୁବ୍ୟବହାର କରାଯାଇଥିଲା ।
ପରିବାର ଲୋକ ଏକ ଘରୋଇ ହସପିଟାଲ ନେବା ପରେ ଡାକ୍ତର ମୃତ୍ୟୁ କିଛି ସମୟ ପୂର୍ବରୁ ହୋଇଛି ବୋଲି କହିଥିଲେ । ତେବେ ସଦର ହସପିଟାଲର ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ପରିବାର ଲୋକ ପୋଲିସ ନିକଟରେ ଏଫଆଇଆର ଦାୟର କରିଛନ୍ତି । ଫରେନ୍ସିକ ଟିମ ରେଷ୍ଟୁରାଣ୍ଟରୁ ଘରକୁ ଆଣିଥିବା ଖାଦ୍ୟ ସାମ୍ପଲ ମଧ୍ୟ ଭିସେରା ଯାଞ୍ଚ ପାଇଁ ପଠାଇଛନ୍ତି । ପ୍ରଶାସନ ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି ।

