ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ ଝିଅ ପ୍ରତି ଘଟିଥିବା ଘଟଣାର ପ୍ରତିଶୋଧ ନେବାକୁ ଟିଏମସି ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି। ସେ ଉତ୍ତର ପ୍ରଗଣା ଜିଲ୍ଲାର ପାଣିହାଟି ବିଧାନସଭା ମଣ୍ଡଳୀରୁ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ଝିଅ ପ୍ରତି ୯ତାରିଖରେ ଘଟିଥିବା ଘଟଣା ପାଇଁ ୯ତାରିଖରେ ନାମାଙ୍କନ ଭରିବାକୁ ନିଷ୍ପତ୍ତି ନେଇଥିଲେ ମାଆ। ଗତ ୯ତାରିଖ ଗୁରୁବାର ସେ ନାମାଙ୍କନ ଭରିବା ପାଇଁ ଯିବା ସମୟରେ ତାଙ୍କ ସହ ବିଜେପି ନେତ୍ରୀ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ତେବେ ସ୍ମୃତିଙ୍କ ଉପସ୍ଥିତିରେ ଟିଏମସିର କିଛି କର୍ମୀ ତାଙ୍କୁ ଆକ୍ରମଣ ଓ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ସ୍ମୃତି ଇରାନୀ। ତେବେ ରତ୍ନା ମଧ୍ୟ ସମାନ ଅଭିଯୋଗ ଆଣି କହିଛନ୍ତି ଯେ ପାଣିହାଟିର ସୋଦେପୁର ଅଞ୍ଚଳରେ ପ୍ରଚାର ସମୟରେ ଟିଏମସିର କିଛି ମହିଳା ସମର୍ଥକ ତାଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ତାଙ୍କ କେଶକୁ ଛୁଇଁବା ସହ ତାଙ୍କ ଉପରକୁ କିଛି ଜିନିଷ ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ରତ୍ନା। ତୃଣମୂଳ କଂଗ୍ରେସ ଅଭିଯୋଗକୁ ଅସ୍ୱୀକାର କରି ଘଟଣାକୁ ବିଜେପିର ଏକ ରାଜନୈତିକ ପ୍ରଚାର ବୋଲି କହିଛି।
ଭାଇରାଲ ହେଉଥିବା ଭଡ଼ିଓରେ ମଧ୍ୟ ଚିତ୍ରିତ ହେଉଛି ଯେ କିଛି ମହିଳା ‘ଜୟ ବଙ୍ଗଳା’ ନାରା ଦେଇ ରତ୍ନାଙ୍କୁ ହଇରାଣ କରୁଛନ୍ତି।
