ପୁରୀ : ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଛି । ସମସ୍ତ ସେବାୟତଙ୍କ ସହଯୋଗରେ ଏହା ସଂପୂର୍ଣ୍ଣ ହୋଇଛି । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ । ଭଣ୍ଡାର ମେକାପ ଦେଇଥିବା ସ୍ୱର୍ଣ୍ଣ ଅଳଙ୍କାରକୁ ମିଶାଇଲେ ଏହା ୧୯୭୮ ମସିହା ତାଲିକା ଠାରୁ ଅଧିକ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
୧୩ ତାରିଖ ଦିନ ଜିଲ୍ଲା ଟ୍ରେଜରୀରୁ ଆସି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ । ପ୍ରତ୍ୟେକ ଦିନ ଗଣତି ମଣତି ଶେଷ ହେବା ପରେ ଜଉ ମୁଦ୍ ଦିଆଯାଇ ଚାବି ପୁନଶ୍ଚ ଟ୍ରେଜରୀକୁ ନିଆଯିବ । ୧୯୭୮ ମସିହା ଗଣତି ମଣତି ତାଲିକା ଅନୁଯାୟୀ ବାହାର ରତ୍ନଭଣ୍ଡାରରେ ୮୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର ଓ ୪୭୬୧ ଭରିର ୩୯ ପ୍ରକାର ରୂପା ଅଳଙ୍କାର ଓ ଦ୍ରବ୍ୟ ରହିଛି ।
ରତ୍ନ ଅଳଙ୍କାର ଗୁଡ଼ିକୁ ନିରବଚ୍ଛିନ୍ନ, ସୁନ୍ଦର ଏବଂ ନିର୍ଭୁଲ ଭାବେ ଗଣତି ମଣତି କରାଯାଇଛି । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତି ମଣତି ବନ୍ଦ ରହିବ । ଏହାପରେ ୧୬ ରୁ ୧୮ ଯାଏଁ ପୁଣିଥରେ ଗଣତି ମଣତି କରାଯିବ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଆଜି ଗଣତି ମଣତି ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟିର ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ ।

