ନୂଆଦିଲ୍ଲୀ: ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନୂଆ ଯୁଗ । ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ‘ବନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ‘ଭନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରି ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ଉଜ୍ଜ୍ୱଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ନିଜର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ବ୍ୟକ୍ତ କରିଛନ୍ତି । କହିଛନ୍ତି , ଟିମ୍ ଭନ୍ତାରା ଏମିତି ଏକ ବ୍ୟବସ୍ଥା ଗଢ଼ିବାକୁ ଚାହୁଁଛି ଯାହା କେବଳ ସାମ୍ପ୍ରତିକ ଆବଶ୍ୟକତା ପୂରଣ କରିବ ନାହିଁ । ବରଂ ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱ ପାଇଁ ପ୍ରେରଣା ସାଜିବ । ଏହି ବିଶ୍ୱବିଦ୍ୟାଳୟ ବନ୍ୟପ୍ରାଣୀ କ୍ଷେତ୍ରରେ ଅନେକ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବ । ଏହା ବିଶ୍ୱର ସବୁଠାରୁ ଗତିଶୀଳ ଏବଂ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଠାରେ କେବଳ ପଶୁମାନଙ୍କ ଯତ୍ନ ନିଆଯିବ ନାହିଁ, ବରଂ ପ୍ରକୃତି ମା’ ର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମଧ୍ୟ କରାଯିବ ।
ବିଶ୍ୱବିଦ୍ୟାଳୟର ଗୁରୁତ୍ୱ ବିଷୟରେ ଆଲୋକପାତ କରି କହିଛନ୍ତି, ଏଠାରେ ହେବାକୁ ଥିବା ଗବେଷଣା ବିଶ୍ୱର ଅନେକ ଜଟିଳ ରୋଗର ସମାଧାନ କରିବାରେ ସହାୟକ ହେବ । ଏହା ପଶୁଙ୍କ ସହିତ ମଣିଷ ଜାତିକୁ ମଧ୍ୟ ରୋଗମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରତିବର୍ଷ ଏହି ଅନୁଷ୍ଠାନରୁ ଉଚ୍ଚକୋଟୀର ପଶୁ ଚିକିତ୍ସକ ଏବଂ ବୈଜ୍ଞାନିକମାନେ ଉତ୍ତୀର୍ଣ୍ଣ ହେବେ । ସେମାନେ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣର ଦାୟିତ୍ୱ ନେବେ । ଅନନ୍ତଙ୍କ ଅନୁସାରେ, ଏହି ବିଶ୍ୱବିଦ୍ୟାଳୟ ବନ୍ୟପ୍ରାଣୀ ଏବଂ ପଶୁ ଚିକିତ୍ସା ସେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭବିଷ୍ୟତ ବଦଳାଇ ଦେବ ।

