ଭୁବନେଶ୍ବର: କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି। ୧୪ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଆଜି ହଟ ଓ ହ୍ୟୁମିଡ କଣ୍ଡିସନ ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖରୁ ହିଟୱେଭ ଚେତାବନୀ ଜାରି ହୋଇଛି। ୧୪ ତାରିଖରେ ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗୀର, ୧୫ରେ ଚାରି ଜିଲ୍ଲା ବରଗଡ଼, ବଲାଙ୍ଗୀର,ଝାରସୁଗୁଡ଼ା ଓ ସମ୍ବଲପୁରରୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ଖରା ଫଳରେ ଅଧିକାଂଶ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି ।
ଗତକାଲି ସୂଚନାନୁଯାୟୀ, କାଳବୈଶାଖୀ ପ୍ରଭାବ କମିଲା । ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ । କଲବଲ କରିବା ଆରମ୍ଭ କଲା ତାତି। ଆଗାମୀ ୫ଦିନ ଯାଏ ଜାଳିବ ଖରା । ୧୭ ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଆସନ୍ତାକାଲିଠୁ ଆହୁରି ତାତି ବଢିବ ବୋଲି ସୂଚନାଥିଲା ।

