Trump 1

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ବଡ଼ ଦାବି କରିଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ଇରାନକୁ ପଠାଇବ ନାହିଁ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ ପ୍ରଦାନ ବେଳେ ଜିନପିଙ୍ଗ ଏପରି ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ କହିଛନ୍ତି।

ସେ କହିଛନ୍ତି, ମୁଁ ତାଙ୍କୁ(ଜିନପିଙ୍ଗ) ଚିଠି ଲେଖି ଏପରି ନ କରିବାକୁ କହିଥିଲି। ସେ ମୋତେ ଚିଠି ଲେଖି ଆଉ ଏମିତି କରିବେ ନାହିଁ ବୋଲି କହିଛନ୍ତି।” ଇରାନ ଦୀର୍ଘ ସପ୍ତାହ ଧରି ଆମେରିକା ଓ ଇସ୍ରାଏଲର କଡ଼ା ମୁକାବିଲା କରୁଥିବାରୁ ଏହା ପଛରେ ବିଦେଶୀ ରାଷ୍ଟ୍ରର ସାମରିକ ସହାୟତା ରହିଥିବା ଚର୍ଚ୍ଚା ହେଉଥିଲା।

ଇରାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ବିଦେଶୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟ୍ରମ୍ପ ଚେତାବନୀ ଦେଇଥିଲେ। ଯଦି କୌଣସି ଦେଶ ଇରାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ଜଣାପଡ଼ିବ, ତା’ହେଲେ ଆମେରିକା ସେମାନଙ୍କ ଉପରେ ୫୦% ଟାରିଫ ଲଗାଇବେ ବୋଲି କହିଥିଲେ।

କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା ଯେ ଆମେରିକା ଓ ଇସ୍ରାଏଲ ସହ ଲଢ଼ିବା ପାଇଁ ଚାଇନା ପକ୍ଷରୁ ଇରାନକୁ ଯୁଦ୍ଧାସ୍ତ୍ର ପଠାଇବାକୁ ପ୍ରସ୍ତୁତି ଚାଲିଛି। ବିଶେଷ କରି ଚାଇନା ନିଜର ଏୟାର ଡିଫେନ୍ସ ସିଷ୍ଟମ ଓ କାନ୍ଧରେ ରଖି ଆକାଶକୁ ମାଡ଼ କରାଯାଇ ପାରୁଥିବା ମିସାଇଲ ଆଦି ଇରାନକୁ ଦେବାକୁ ଯାଉଛି। ସେହିପରି ଚାଇନା ସିଧାସଳଖ ନୁହେଁ, ବରଂ ତୃତୀୟ ଦେଶ ସହାୟତାରେ ଇରାନକୁ ଏସବୁ ପଠାଇବାକୁ ସଜବାବଜ ହେଉଥିବା ରିପୋର୍ଟ ପ୍ରକାଶ ପାଇଥିଲା।

ହର୍ମୁଜ ପ୍ରଣାଳୀକୁ ନେଇ ଚାଇନାର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଟ୍ରମ୍ପ ଆଉ ଗୋଟିଏ ଦାବି କରିଛନ୍ତି। ସେ କହିଛନ୍ତି, “ମୁଁ ସ୍ଥାୟୀ ଭାବେ ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବାକୁ ଯାଉଥିବାରୁ ଚାଇନା ବେଶ ଖୁସି। ମୁଁ ଏସବୁ ସେମାନଙ୍କ ପାଇଁ ଓ ପୂରା ବିଶ୍ୱ ପାଇଁ କରୁଛି।

ସେମାନେ ଇରାନକୁ ଯୁଦ୍ଧାସ୍ତ୍ର ନ ପଠାଇବାକୁ ରାଜି ହୋଇଛି। ଆମେ ଏକାଠି ବେଶ ଯତ୍ନବାନ ଓ ଭଲ ଭାବେ କାମ କରୁଛୁ। କ’ଣ ଏହା ଲଢ଼େଇ ଠାରୁ ଭଲ ନୁହେଁ? କିନ୍ତୁ ମନେ ରଖନ୍ତୁ ଆମେ ଲଢ଼େଇରେ ମଧ୍ୟ ପାରଙ୍ଗମ। ଯଦି ଆମକୁ ଲଢ଼େଇ କରିବାର ଅଛି, ତା’ହେଲେ ଆମେ ଅନ୍ୟ ସମସ୍ତଙ୍କ ଠାରୁ ଭଲ ଲଢ଼େଇ କରିବୁ।”

Share