ନୂଆଦିଲ୍ଲୀ : ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା । ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଚାକର ଉପରେ ସନ୍ଦେହ ପ୍ରକାଶ କରିଛି ।
ଦିଲ୍ଲୀର ଜଣେ ବରିଷ୍ଠ ରାଜସ୍ୱ ସେବା ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଅପରାଧୀ ପ୍ରଥମେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏହା ପରେ ଘରେ ଥିବା ଏକ ମୋବାଇଲ୍ ଫୋନ୍ ଚାର୍ଜର କେବୁଲ୍ ବ୍ୟବହାର କରି ଯୁବତୀଙ୍କ ତଣ୍ଟି ଚିପି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହି ହତ୍ୟାକାଣ୍ଡ ପଛରେ ପରିବାରର ଜଣେ ପୂର୍ବତନ ଘରୋଇ ସହାୟକର ହାତ ଥିବା ପୋଲିସ ସନ୍ଦେହ କରୁଛି । ପ୍ରାୟ ମାସେ ପୂର୍ବରୁ କୌଣସି କାରଣରୁ ସହାୟକକୁ କାମରୁ ବାହାର କରିଦିଆଯାଇଥିଲା । ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅମର କଲୋନୀ ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ମୃତ ଝିଅଟି ଇଞ୍ଜିନିୟରିଂ ପଢୁଥିବା ବେଳେ ଏବଂ UPSC ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ। ଘଟଣା ସମୟରେ, ଝିଅଟିର ବାପାମାଆ ସକାଳୁ ଜିମ୍ ଯାଇଥିଲେ । ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ସନ୍ଦିଗ୍ଧର ତଲାସୀ ଜାରି ରଖିଛି ।

