ବଲାଙ୍ଗିର: ବେଦିରୁ ବରକୁ ଉଠାଇ ନେଲା ପୋଲିସ । ଅଧା ରହିଗଲା ବାହାଘର। ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ। ଅଭିଯୋଗ ପରେ ବିବାହ ବେଦିରୁ ଉଠାଇ ନେଲା ବଲାଙ୍ଗିର ପୁଇଁନ୍ତଳା ପୋଲିସ । ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଗଣ୍ଡବହାଲ ଗାଁର ରୁକ୍ମଣ ମେସ୍ବା। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳର ଜିରାମୁଣ୍ଡା ମନ୍ଦିରରେ ରୁକ୍ମଣଙ୍କର ଦ୍ୱିତୀୟ ବିବାହ ଚାଲିଥିଲା । ଗାଁରେ ମଣ୍ଡପ ସଜା ହୋଇଥିଲା । ବରଯାତ୍ରୀ ନାଚି ଡେଇଁ କନ୍ୟା ଘରେ ପହଞ୍ଚିଥିଲେ । ଭୋଜିଖାଇବାକୁ ସମସ୍ତ ପ୍ରସ୍ତୁତି ସରିଥିଲା । ଆଉ ବିବାହ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ଚାଲିଥିଲା । ହଠାତ୍ ପୋଲିସ ପହଞ୍ଚି ବେଦିରୁ ବରକୁ ଉଠାଇ ନେଇଚି । ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ମାମଲା ଥିବା ସତ୍ତ୍ୱେ ଯୁବକ ପୁନର୍ବିବାହ କରୁଥିଲେ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

