Dalita mahasabha

କଟକ : ଦଳିତମାନଙ୍କ ଉପରେ ବିଭିନ୍ନ ନିର୍ଯାତନା  ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ ଆଣି ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଗଣ ଧାରଣାରେ ବସିଛି, ରାଷ୍ଟ୍ରୀୟ ଦଳିତ ମହାସଭା ।  ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଉଛି ।  ଅଭିଯୋଗ ପରେ ବି ନିର୍ଯ୍ୟାତିତ ପରିବାରଙ୍କୁ ନ୍ୟାୟ ମିଳିପାରୁ ନାହିଁ  ।

ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଚରଦିଆ ଗ୍ରାମରେ ହୋଇଥିବା କଙ୍ଗାରୁ କୋର୍ଟରେ ନିର୍ଯାତନା ଦେଇଥିବା ଆସାମୀମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ୍ କାହିଁକି ଗିରଫ କରିନାହିଁ ବୋଲି ପ୍ରଶ୍ନ ଉଠାଇଛି ଦଳିତ ମହାସଭା ।  ସେହିପରି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅନ୍ତର୍ଗତ ଚମ୍ପାଦେଈପୁର ପାଟଣା ଓ କୁମ୍ଭାରଡ଼ିହ ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ମିଛ କେସରେ ଫସାଯାଇଛି ।

କିଛି ଖଳ ପ୍ରକୃତିର ଲୋକମାନଙ୍କ ଦ୍ୱାରା ଉକ୍ତ ବ୍ୟକ୍ତି ନିର୍ଯାତିତ ହୋଇ ଏକଘରିକିଆ ହୋଇ ଗ୍ରାମ ଛାଡ଼ିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରିଛି ଦଳିତ ମହାସଭା ।  ଏସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛି ଦଳିତ ମହାସଭା । ଏହିସବୁ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଦଳିତ ମହାସଭା ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକ ପତ୍ର  ପ୍ରଦାନ କରିଛି ।

Share