ଭୁବନେଶ୍ୱର : ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର । ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି । ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା ଲୋକମାନେ ଉପକୃତ ହେବେ । ଓଡିଶାରେ ଯେଉଁଠି ଅଧିକ ହିଟୱେଭ୍ ସେଠାରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି । ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ଥର ଆଲୋଚନା ହୋଇଛି । ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନେ ମଧ୍ୟ ଏହି ସମୟରେ କାର୍ଯ୍ୟରୁ ମୁକ୍ତ ରହିବେ । ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ଜଳଛତ୍ର କରିବା ପାଇଁ କୁହାଯାଇଛି। PHC ଏବଂ CHCରେ ଅଂଶୁଘାତ ଜନିତ ସ୍ପେଶାଲ ଟ୍ରିଟମେଣ୍ଟ ଦିଆଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

