ପାଟନା : ବିହାର ପାଟନାର ସଟେରେ ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୫ ଜଣ ନିଖୋଜ ଥିବା ଜଣାପଡିଛି । ଆଜି ସକାଳୁ ପାଟନା ସଂଲଗ୍ନ ଉମାନାଥ ଗଙ୍ଗା ଘାଟରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୪ ଜଣ ଲୋକ ଥିଲେ । ଘଟଣା ବିଷୟରେ ଖବର ପାଇଁ ପ୍ରଶାସନ ଏବଂ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସ୍ଥାନୀୟ ଏସଡିପିଓ ରାମକୃଷ୍ଣ କହିଛନ୍ତି ଯେ, ଦୁର୍ଘଟଣା ପରେ ୭ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହି ସମୟରେ ଦୁଇଜଣ ବୁଡ଼ି ଯାଇଥିଲେ ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡଙ୍ଗାରେ ମୋଟ ୧୪ରୁ ୧୫ ଣ ଲୋକ ଥିଲେ । ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ଅଘଟଣ ଘଟିଛି । ଜୋରରେ ପବନ ହେବା ଯୋଗୁଁ ଡଙ୍ଗାଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଘଯଣା ପରେ ଲୋକଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ଅନ୍ୟ ଡଙ୍ଗା ସାହାଯ୍ୟରେ କିଛି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।
ଘଟଣାରେ ୫ ଜଣ ଏଯାଏଁ ନିଖୋଜ ରହିଛନ୍ତି । ଏସଡିଆରଏଫ ଟିମ୍ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଘଟଣା ବିଷୟରେ ଖବର ମିଳିବା ପରେ ଘାଟରେ ଲୋକଙ୍କ ସମାଗମ ହୋଇଛି । ଲୋକମାନେ ନିଜ ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିଛନ୍ତି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ତେବେ ପ୍ରଶାସନ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଲୋକଙ୍କୁ କହିଛି ।

