ରାଜସ୍ଥାନ : ଆଜି ସକାଳେ ରାଜସ୍ଥାନର ବାରା ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ଛୋଟ ଶିଶୁ କନ୍ୟା ସମେତ ୨ ଜଣଙ୍କର ମୃତ୍ୟୁ ଘଟିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବସଟି ଯାତ୍ରୀଙ୍କୁ ନେଇ କୋଟାରୁ କାନପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦ୍ରୁତ ଗତିରେ ଏହି ସ୍ଲିପର ବସଟି ଯାଉଥିବାରୁ ନିୟନ୍ତ୍ରଣ ହରାଇ ଫରେଦୁଆ ତଲହାଟି ଗାଁ ନିକଟରେ ଗାଡ଼ିଟି ଓଲଟି ପଡିଥିଲା ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଆଜି ପ୍ରାୟ ଭୋର ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଯାଉଥିବା ସମୟରେ ସମସ୍ତ ଯାତ୍ରୀ ଗଭୀର ନିଦରେ ଶୋଇଥିଲେ । ସେହି ସମୟରେ ଫାରେଦୁଆ ତଲହାଟି ଗାଁ ନିକଟରେ ଏକ ମୋଡ଼ରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ବସ୍ ଭିତରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅନୁଯାୟୀ, କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରନ୍ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏଥିସହ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।
ଅନ୍ୟପଟେ ଡ୍ରାଇଭର ଶୋଇପଡିବା ଯୋଗୁ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଲାଇବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଏଥିସହ ପୋଲିସ ଦୁର୍ଘଟଣାର କାରଣ ଜାଣିବାକୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

