Screenshot 2026 06 07 204343

ଭଦ୍ରକ:ଭଦ୍ରକ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା । ରେଲୱେ ଲେବୁଲ୍ କ୍ରସିଂ ଗେଟ୍ ପଡ଼ିନଥିବାରୁ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମୃତକ ଯୁବକ ଜଣକ ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗାଁର ଅଭିମନ୍ୟୁ ପରିଡା । ଭଦ୍ରକ-ତିହିଡି-ପୀରହାଟ ସାହାପୁର ରେଳ ଜଙ୍କସନ ଅନ୍ତର୍ଗତ କଣ୍ଡରଗଡ଼ିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଫାଟକ ଜଗୁଆଳି (ଗେଟମ୍ୟାନ୍)ଙ୍କ ଚରମ ଅବହେଳା ଯୋଗୁଁ ଅଭିମନ୍ୟୁଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ଅଭିମନ୍ୟୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ସାହାପୁର ରେଳ ଧାରଣା ପାର ହେବା ବେଳେ ହଠାତ୍ ଟ୍ରେନ୍ ଚାଲିଆସିଥିଲା । ରେଳୱେ ଲେବୁଲ୍ କ୍ରସିଂ ଗେଟ୍ ପଡ଼ିନଥିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ଶରୀର ଖଣ୍ଡଖଣ୍ଡ ହୋଇଯାଇଥିଲା ।

ଖବର ପାଇ ପୀରହାଟ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହ ଉଦ୍ଧାର କରି ତିହିଡି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏପଟେ ଉତ୍ୟକ୍ତ ଲୋକେ ଗେଟମ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରି ରେଳ ଷ୍ଟେସନ ପରିସରରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ NH ଅବରୋଧ କରିଥିଲେ । ଏସ୍‌ଡିପିଓ, ପୀରହାଟ ଓ ତିହିଡି଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।ତେବେ ଦୁର୍ଘଟଣା ପ୍ରକୃତରେ କେମିତି ଓ କେଉଁ ପରିସ୍ଥିତିରେ ହେଲା, ସେ ନେଇ ରେଳ ବିଭାଗ ଓ ପୋଲିସ ତଦନ୍ତ କରୁଛି ।

 

Share