1200 675 26862467 thumbnail 16x9 stf aspera 1024x576

କଲକାତା: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ସନ୍ଦେଶଖାଲି ଅଞ୍ଚଳରୁ ପୁଲିସ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତାଙ୍କ ପୋଖରୀରୁ ଶନିବାର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପୁଲିସ ଓ ଏସ୍‌ଟିଏଫ ଶନିବାର ସକାଳେ ସନ୍ଦେଶଖାଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲା। ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ରବିନ ଦାସଙ୍କ ଏକ ପୋଖରୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ପୁଲିସ ଚଢ଼ଉ ପୂର୍ବରୁ ରବିନ ଓ ତାଙ୍କ ଭାଇ ଗୋପାଳ ଦାସ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏସ୍‌ଟିଏଫ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏହି ଚଢ଼ଉରେ ସାମିଲ ଥିଲା। ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଗଚ୍ଛିତ କରି ରଖାଯାଇଥିଲା ବୋଲି ସନ୍ଦେହ କରାଯାଉଛି। ଏହି ଅଞ୍ଚଳରେ ଆହୁରି ଚଢ଼ଉ ଜାରି ରହିବ ଏବଂ ଫେରାର ହୋଇଯାଇଥିବା ଦୁଇ ଭାଇଙ୍କୁ ଗିରଫ କରିବାକୁ ଉଦ୍ୟମ ହେବ ବୋଲି ପୁଲିସ ତରଫରୁ ଦର୍ଶାଯାଇଛି। ସୂଚନାଥାଉ କି ଏହି ଦୁଇ ଭାଇଙ୍କ ବିରୋଧରେ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଭୟଭୀତ କରିବା ଅଭିଯୋଗ ରହିଥିଲା। ତୃଣମୂଳ କଂଗ୍ରେସ ନେତାଙ୍କ ପୋଖରୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିବା ପରେ ଏହାକୁ ନେଇ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିଛି ବିଜେପି।

ବିଜେପି ବିଧାୟକ ସଜଲ୍‌ ଘୋଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଅସ୍ତ୍ରଶସ୍ତ୍ର ସ୍ଥାନୀୟ ଅଞ୍ଚଳରେ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରଖା ଯାଇଥିଲା। ପୁଲିସ ଚଢ଼ଉକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରଶଂସା କରିବା ସହ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇଛନ୍ତି। ଏଥିରେ ଶୁଭେନ୍ଦୁ ଦର୍ଶାଇଛନ୍ତି ପୁଲିସ କୁମାରଖଲି, ବାସନ୍ତୀ ଓ ସନ୍ଦେଶଖାଲିରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ସେହି ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ବାସ୍ତବିକ ପ୍ରଶଂସନୀୟ। ଶାନ୍ତିଭଙ୍ଗ ଉଦ୍ଦେଶ୍ୟରେ ଏସବୁ ଅସ୍ତ୍ରଶସ୍ତ୍ର ରଖାଯାଇଥିଲା। ପୂର୍ବ ସରକାର ଅମଳରେ ସେମାନଙ୍କ ଦଳର ନେତା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଥିବା ଶୁଭେନ୍ଦୁ ଦର୍ଶାଇବା ସହ ତାଙ୍କ ସରକାର ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ପୂର୍ବ ସରକାର ସମୟରେ ଚାଲିଥିବା ଆତଙ୍କରାଜର ସମୟ ଶେଷ ହୋଇଯାଇଛି। ବର୍ତ୍ତମାନର ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଧାରିବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରୁ ଅପରାଧିକ କାର୍ଯ୍ୟକଳାପକୁ ନିର୍ମୂଳ କରିବାକୁ ସରକାର କଠୋର ପଦକ୍ଷେପ ନେବେ। ଶାନ୍ତି, ସୁରକ୍ଷା ବଜାୟ ରଖିବାକୁ ବର୍ତ୍ତମାନର ସୁରକ୍ଷା ପ୍ରାଧାନ୍ୟ ଦେଉଥିବା ଶୁଭେନ୍ଦୁ ଦର୍ଶାଇଛନ୍ତି।

Share