Delhi airport

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି । ରବିବାର ଜୁନ୍ ୭ ତାରିଖ ଅପରାହ୍ନରେ ହଠାତ୍ ଝଡ଼ ଏବଂ ବର୍ଷା ଯୋଗୁଁ ଟର୍ମିନାଲ ୨ରେ ଥିବା ବିମାନର ସିଡ଼ି ପବନରେ ଘୋଷାଡି ହୋଇ ବିମାନ ସହିତ ମାଡ଼ ହୋଇଥିଲା । ମାମଲାର ଗମ୍ଭୀରତାର ସହ ନେଇ ଡିଜିସିଏ ଯାଞ୍ଚ କରୁଛି ।

ଖବର ମୁତାବକ, ରବିବାର ଅପରାହ୍ନ ପ୍ରାୟ ୪:୪୦ ସମୟରେ ହଠାତ୍ ପ୍ରବଳ ଝଡ଼ବର୍ଷା ହୋଇଥିଲା । ଏହି ସମୟରେ ବିମାନକୁ ଚଢିବା ପାଇଁ ରହିଥିବା ଏକ ସିଡ଼ି ଏବଂ ଏକ ଟ୍ରେସଲ୍ ଆପେ ଆପେ ଘୋଷାଡି ହୋଇ ତିନୋଟି ଏୟାର ଇଣ୍ଡିଆ ବିମାନ ସହିତ ମାଡ଼ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ବର୍ଷା ପବନରେ ସିଡ଼ି ଆପେ ଆପେ ଘୋଷାଡି ହୋଇ ଚାଲିଥିବା ବେଳେ ଏୟାରପୋର୍ଟ ଗ୍ରାଉଣ୍ଡ ଷ୍ଟାଫ ଏହାକୁ ଦୌଡି ଦୌଡି ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପବନ ଏତେ ଜୋରରେ ଥିଲା ଯେ, ବିମାନରେ ସିଡ଼ି ଧକ୍କା ହୋଇଥିଲା ।

ବିମାନର ମରାମତି ପାଇଁ କିଛି ଦିନ ସମୟ ଲାଗିବ କିନ୍ତୁ ବାକି ଦୁଇଟି ବିମାନ ସପ୍ତାହ ମଧ୍ୟରେ ଉଡ଼ାଣ ସେବାକୁ ଫେରିବ ବୋଲି ଆଶା କରାଯାଉଛି । ଝଡ଼ ପୂର୍ବରୁ କାହିଁକି କୌଣସି ପାଣିପାଗ ସତର୍କ ସୂଚନା ଜାରି କରାଯାଇ ନଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି । ଏମିତି ପାଣିପାଗ ସୂଚନା ମିଳିବା ପରେ ବିମାନବନ୍ଦରର ସିଡ଼ି, ଟ୍ରେସଲ୍ ଏବଂ ଅନ୍ୟାନ୍ୟ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଥାଏ । ଯାହାଦ୍ବାରା ପ୍ରବଳ ପବନରେ ବିମାନର କୌଣସି କ୍ଷତି ଯେପରି ନହେବ । କିନ୍ତୁ ଏମିତି ଘଟଣା ପରେ ଡିଜିସିଏ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ଘନ କୁହୁଡି ଯୋଗୁଁ ନ୍ୟୁୟର୍କ ଏୟାରପୋର୍ଟରେ ଏୟାର ଇଣ୍ଡିଆର ଏକ ନୂଆ ଏ୩୫୦ ବିମାନର ଇଂଜିନ ରନୱେରେ ପଡିଥିବା ଏକ ବ୍ୟାଗ୍ କଣ୍ଟେନର ସହିତ ଧକ୍କା ହୋଇଥିଲା ।

Share