Steel

ବିଶାଖାପଟ୍ଟଣମ : ବିଶାଖାପଟ୍ଟଣମ ସ୍ଥିତ ବିଶାଖା ଷ୍ଟିଲ୍ ପ୍ଲାଣ୍ଟର SMS-2 (Steel Melting Shop-2) ବିଭାଗରେ ସୋମବାର ଏକ ଭୟାବହ ଔଦ୍ୟୋଗିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଅନ୍ୟ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଶିଳ୍ପାଞ୍ଚଳରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଲ୍ୟାଡଲ୍ (Ladle) ମାଧ୍ୟମରେ ପରିବହନ କରାଯାଉଥିବା ଅତ୍ୟଧିକ ଉତ୍ତପ୍ତ ଦ୍ରବୀଭୂତ ଧାତୁ ହଠାତ୍ ବାହାରକୁ ଛିଟି ପଡ଼ିଥିଲା। ମୁହୂର୍ତ୍ତକ ମଧ୍ୟରେ ସମଗ୍ର କାର୍ଯ୍ୟକ୍ଷେତ୍ର ଧୂଆଁ ଓ ଅଗ୍ନିରେ ଆବୃତ ହୋଇଯାଇଥିଲା। ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକମାନେ ନିଜକୁ ରକ୍ଷା କରିବାକୁ ସମୟ ପାଇନଥିବାରୁ ଅନେକେ ଦ୍ରବୀଭୂତ ଧାତୁର ସଂସ୍ପର୍ଶରେ ଆସିଥିଲେ। ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ସବୁଠାରୁ ବଡ଼ ଦୁଃଖଦ ଘଟଣା ଭାବେ ସାମ୍ନାକୁ ଆସିଛି। ମୃତ ଶ୍ରମିକମାନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ସହକର୍ମୀ ଓ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଘଟଣାରେ ମର୍ମାହତ ହୋଇଛନ୍ତି।ଘଟଣାର ଖବର ପାଇବା ପରେ ଅଗ୍ନିଶମ ବିଭାଗ, ପ୍ଲାଣ୍ଟର ସୁରକ୍ଷା ଦଳ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କିମ୍ବା ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏହା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଶାଖା ଷ୍ଟିଲ୍ ପ୍ଲାଣ୍ଟ ପରି ଏକ ପ୍ରମୁଖ ଶିଳ୍ପ ସଂସ୍ଥାନରେ ଘଟିଥିବା ଏହି ଦୁର୍ଘଟଣା ପୁଣିଥରେ ଶିଳ୍ପ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ମୃତ ଶ୍ରମିକମାନଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଦାବି ଜୋର ଧରିଛି।

Share