ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷ ଠାରେ ରାଜ୍ୟର ସମସ୍ତ ମାଷ୍ଟର ଟ୍ରେନରମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ତାଲିମ ଶିବିର ଆୟୋଜନ ହେବାକୁ ଯାଉଛି । ଜିଲ୍ଲା ସ୍ତରରେ ମୁଖ୍ୟ ଟ୍ରେନର ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କୁ ଏହି ଶିବିରରେ ବାଧ୍ୟତାମୂଳକ ଭାବେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ କେଉଁ ସବୁ ନୂତନ ନିୟମାବଳୀ ଏବଂ ମାର୍ଗଦର୍ଶିକା ପାଳନ କରାଯିବ, ସେ ନେଇ ଏହି ତାଲିମରେ ବିସ୍ତୃତ ଭାବେ ବୁଝାଯିବ ।
ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ, ଉକ୍ତ ମାଷ୍ଟର ଟ୍ରେନରମାନେ ନିଜ ନିଜ ଜିଲ୍ଲା ଏବଂ ବ୍ଲକ୍ ସ୍ତରକୁ ଯାଇ କ୍ଷେତ୍ର ଅଧିକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବେ । ଏହାପରେ ବ୍ଲକ୍ ସ୍ତରରେ ତାଲିମପ୍ରାପ୍ତ ଏହି ଅଧିକାରୀମାନେ ହିଁ ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ଡୋର୍-ଟୁ-ଡୋର୍ ସର୍ଭେରେ ସିଧାସଳଖ ନିୟୋଜିତ ହୋଇ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ । ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ଶେଷ ଭାଗ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ଆଡ଼କୁ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ପ୍ରବଳ ସମ୍ଭାବନା ରହିଛି ।
