ପୋଲସରା: ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ପୋଲସରା ଥାନା ପାଣ୍ଡିରିପଡା ଗାଁରେ । କ୍ଵାକ ଜୟରାମ ଦିଗାଲଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି । ମୃତ ଶିକ୍ଷକ ହେଲେ ଆଦିବାସୀ ବହୁଳ ରାଇପଡା ଗ୍ରାମର ରମେଶ ପ୍ରଧାନ । ରମେଶ ପାଣ୍ଡିରୀପଡା ସ୍କୁଲରେ ଶିକ୍ଷକତା କରୁଥିଲେ । ଗତ କିଛିଦିନ ପୂର୍ବରୁ ରମେଶଙ୍କୁ ଜ୍ୱର ହୋଇଥିଲା । ସ୍ତ୍ରୀ ସାବିତ୍ରୀ ପ୍ରଧାନ ବିଚଳିତ ହୋଇ ନିଜ ଗାଁର କ୍ଵାକ ଭାବେ କାମ କରୁଥିବା ଜୟରାମଙ୍କ ନିକଟରେ ଚିକିତ୍ସା କରିଥିଲେ । ସେ ରମେଶଙ୍କୁ ସାଲାଇନ ସହ ୩-୪ଟି ଇଞ୍ଜେକ୍ସନ ଦେଇଥିଲେ। ସ୍ୱାସ୍ଥ୍ୟର ଉନ୍ନତି ହେବା ପରିବର୍ତ୍ତେ ଅବନତି ଘଟି ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
ସେଠାରେ ଡାକ୍ତର ଗୁରୁତର ରମେଶଙ୍କୁ ବ୍ରହ୍ମପୁର ରେଫର କରିଥିଲେ । ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । କ୍ଵାକ ଜୟରାମ ଡିଗାଲର ଘର ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆନ୍ଦୋଳନକାରୀ ମାନେ କ୍ୱାକ୍ ଘର ଉପରକୁ ଟେକା ପଥର ମାଡ଼ କରିବା ସହ ଘର ଭଙ୍ଗାଭଙ୍ଗି କରିଥିଲେ । ପୋଲସରା ଥାନାଧିକାରୀ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ କାରୀମାନେ ହଟିଥିଲେ । ଏହି ଅଞ୍ଚଳରେ ଭୁଲ ଚିକିତ୍ସାରେ ୮ ରୁ ୧୦ ଜଣ ବ୍ୟକ୍ତିଙ୍କୁ କ୍ୱାକ ଜଣକ ମାରି ଦେଇଥିବା ଅଭିଯୋଗ ହୋଇଛି । କ୍ଵାକ ବିରୁଦ୍ଧରେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି ।
