ସମ୍ବଲପୁର: ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ଠାରେ ଆଜି ନୂତନ ସିନ୍ଦୁର ଲାଗି ହୋଇଛି । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଥିଲା । ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିଥାନ୍ତି । ଆଜି ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରାଯାଇଥାଏ । ଏହାପରେ ମାଁ ଙ୍କ ଠାରେ ଲାଗିଥିବା ଗହଣାକୁ ମଧ୍ୟ ସଫା କରାଯାଇଥାଏ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ । ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଥିବା ଏହି ପାରମ୍ପରିକ ପ୍ରସ୍ତୁତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି । ନୂଆଁଖାଇର ମୁଖ୍ୟ ପର୍ବ ପୂର୍ବରୁ ମାଁଙ୍କ ନିକଟରେ ସମସ୍ତ ରୀତିନୀତି ସୁଚାରୁ ଭାବେ ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
