ବର୍ତ୍ତମାନ ଚାନ୍ଦିପୁରସ୍ଥିତ ଆଇଟିଆରରେ ବର୍ଷ ତମାମ ବିଭିନ୍ନ ପରୀକ୍ଷଣ ଲାଗି ରହୁଛି । କିନ୍ତୁ ଏଠାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଜନବସତି । ଯେତେବେଳେ ବି କୌଣସି ବଡ଼ କ୍ଷେପଣାସ୍ତ୍ରର ପରୀକ୍ଷଣ ହୁଏ, ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ୍ର ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧରେ ରହୁଥିବା ହଜାର ହଜାର ସ୍ଥାନୀୟ ଲୋକଙ୍କୁ ସାମୟିକ ଭାବେ ଘରଦ୍ୱାର ଛାଡ଼ି ସ୍ଥାନାନ୍ତର ହେବାକୁ ପଡ଼ିଥାଏ । ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଆର୍ଥିକ କ୍ଷତି ମଧ୍ୟ ସହିଥାନ୍ତି ।
ଅନେକ ସମୟରେ ଏହି କାରଣରୁ ପରୀକ୍ଷଣ ପ୍ରକ୍ରିୟା ବିଳମ୍ବିତ ହୋଇଥାଏ। ତେବେ ଜୁନପୁଟ୍ ଅଞ୍ଚଳରେ ଜନବସତି ଖୁବ୍ କମ୍ ଥିବାରୁ ଏବଂ ସମୁଦ୍ର ତଟର ଭୌଗୋଳିକ ସ୍ଥିତି ଅନୁକୂଳ ଥିବାରୁ ଏହା ପରୀକ୍ଷଣ ପାଇଁ ଏକ ଉପଯୁକ୍ତ ସ୍ଥାନ ବିବେଚିତ ହୋଇଛି ।
ପଶ୍ଚିମବଙ୍ଗ ସରକାର ଏହି ପ୍ରକଳ୍ପ ପାଇଁ ଡିଆରଡିଓକୁ ଆବଶ୍ୟକୀୟ ଜମି ହସ୍ତାନ୍ତର କରିସାରିଛନ୍ତି ଏବଂ ପ୍ରାଥମିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଦିନରେ ଏହି ନୂଆ ପରୀକ୍ଷଣ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ, ତାହା ଚାନ୍ଦିପୁର ପାଇଁ ଏକ ବଡ଼ ସହାୟକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ଭାରତୀୟ ସେନାକୁ ଠିକ୍ ସମୟରେ ନୂତନ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
