ନବରଙ୍ଗପୁର : ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛ କାଟିବା ପଡ଼ିଲା ମହଙ୍ଗା । ଫରେଷ୍ଟର ନିଲମ୍ବିତ । ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନକୁମାର ହରିଜନଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଡିଏଫଓ ଉଦୟନ ସୁବୁଦ୍ଧି ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ଚାକରିରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡି ସେ ଯାଇ ପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।
ଝରିଗାଁ ରେଞ୍ଜ ଅଞ୍ଚଳର ଦେଓବନ୍ଧ ଠାରୁ ଜାମାପଦର ରାସ୍ତାପାର୍ଶ୍ଵର ପ୍ରଶସ୍ତୀକରଣ ଚାଲିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଫରେଷ୍ଟର ହରିଜନ ୨୦ଟି ନୀଳଗିରି ଗଛ କାଟି ବେପାରୀଙ୍କ ହାତକୁ ଟେକି ଦେଇଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନାଁରେ ଫରେଷ୍ଟର ଟଙ୍କା ଆଦାୟ କରିଥିବା ତଦନ୍ତ ବେଳେ ଜଣାପଡିଥିଲା । ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନବିଭାଗକୁ ଅନୁମତି ମଗାଯାଇ ନଥିଲା । ନିଜ ଇଚ୍ଛାରେ ରାସ୍ତା ପ୍ରଶସ୍ତିକରଣ ନାଁରେ ଲୋକେ ଲଗାଇଥିବା ୨୦ଟି ନୀଳଗିରି ଗଛକୁ ଫରେଷ୍ଟର ପଦା କରିଦେଇଥିଲେ । ଅଭିଯୋଗକୁ ଡିଏଫଓ ସୁବୁଦ୍ଧି ଗୁରୁତ୍ବ ସହିତ ନେଇଥିଲେ । ଫରେଷ୍ଟର ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
