ପିପିଲି : ବିଦ୍ୟୁତ ବିଭାଗର ମନମାନି । ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍। ବାରଣ୍ଡାରେ ପଢିଲେ ପାଠ । ପୁରୀ ଜ଼ିଲ୍ଲା ଡେଲାଙ୍ଗର ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଗଛ ମୂଳ ଓ ବାହାରେ ପଢିଲେ ପାଠ । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏବେ ସ୍କୁଲ ପିଲାଙ୍କ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି ।
ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଏକାଧିକ ସରକାରୀ ବିଦ୍ୟାଳୟରୁ ବିଦ୍ୟୁତ ବିଭାଗ ପକ୍ଷରୁ ହଠାତ୍ ଲାଇନ୍ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ କୋମଳମତି ଶିଶୁମାନେ ଶ୍ରେଣୀଗୃହ ଭିତରେ ବସି ନପାରି ଶେଷରେ ବାଧ୍ୟ ହୋଇ ଗଛ ମୂଳ ଓ ବାରଣ୍ଡା ବାହାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି । ସ୍ମାର୍ଟ ମିଟର ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ପାନୀୟ ଜଳ ବନ୍ଦ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ବିଦ୍ୟୁତ ସଂଯୋଗ କଟିଯିବା କାରଣରୁ ବିଦ୍ୟାଳୟଗୁଡ଼ିକରେ ମୋଟର ଚାଲିପାରୁ ନାହିଁ । ଫଳରେ ସ୍କୁଲରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେବଳ ସେତିକି ନୁହେଁ, ପାଣି ଅଭାବରୁ ଶୌଚାଳୟ ସଫା ହୋଇନପାରି ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାଘାତପ୍ରାପ୍ତ ହୋଇଛି ।
ଏପରିକି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ପିଲାମାନଙ୍କ ଖାଇବା ପିଇବାରେ ମଧ୍ୟ ବହୁ ସମସ୍ୟା ଉପୁଜିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ୧୨ଟି ବିଦ୍ୟାଳୟ ଅନ୍ଧାରରେ:ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଚଳର ପ୍ରାୟ ୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଅନ୍ୟପଟେ ଡେଲାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି,ବିଦ୍ୟୁତ ବିଭାଗକୁ ଏନେଇ ଚିଠି ଲେଖାଯିବ ।
