ଝାରସୁଗୁଡ଼ା : ଛାତ୍ରୀଙ୍କୁ ଅସଦ୍ ବ୍ୟବହାର କରି ଅଡୁଆରେ ସ୍କୁଲ ଅଧ୍ୟକ୍ଷ ! ଥାନାରେ ମାମଲା ରୁଜୁ । ଝାରସୁଗୁଡ଼ାରେ ଥିବା ଏକ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅସଦ୍ ବ୍ୟବହାର କରିବା ଅଭିଯୋଗ ହୋଇଛି । ଏହାପରେ ସଂପୃକ୍ତ ଅଧ୍ୟକ୍ଷଙ୍କୁ ଝାରୁସୁଗୁଡ଼ା ସଦର ଥାନାରେ ଅଟକ ରଖାଯାଇଛି । ପକ୍ସୋ ଆଇନ ଅନୁଯାୟୀ ପୋଲିସ୍ ମାମଲା ରୁଜୁ କରିଛି ।
ଛାତ୍ରୀଙ୍କ ଅଭିଯୋଗ ମୁତାବକ, ଗତ ୨୩ ତାରିଖ ଦିନ ସ୍କୁଲର ଅଧ୍ୟକ୍ଷ ସାଗର ସାହା ତାଙ୍କୁ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିବା ଛାତ୍ରୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏନେଇ ଛାତ୍ରୀ ଜଣକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ସଂପୃକ୍ତ ସ୍କୁଲ ଅଧ୍ୟକ୍ଷ ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବାର ଚାକିରିରୁ ନିଲମ୍ବିତ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ଝାରସୁଗୁଡ଼ା ଏସପି କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ଭିତ୍ତିରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।
