କଟକ: କଟକ ଅରୁଣୋଦୟ ନଗର ନିକଟରେ ଭୟାବହ ଅଗ୍ନିକାଣ୍ଡ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଜଳିଗଲା ୮ଟି ବସ୍ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ପାର୍କିଂ ହୋଇଥିବା ବସ୍ ଗୁଡ଼ିକ ଭିତରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନଥିଲେ ।
ଫଳରେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇନାହାନ । ମାତ୍ର ନିଆଁର ପ୍ରକୋପ ଯୋଗୁଁ ବସ୍ ଗୁଡ଼ିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବାରେ ସଫଳ ହୋଇଛନ୍ତି, ଯାହା ଫଳରେ ନିକଟରେ ଥିବା ଅନ୍ୟ ଗାଡ଼ି ଓ ଘରଗୁଡ଼ିକ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛି ।
ରାସ୍ତା କଡ଼ରେ ଠିଆ ହୋଇଥିବା ଏହି ବସ୍ ଗୁଡ଼ିକରେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ୍ ନା ଅନ୍ୟ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
