ନୂଆଦିଲ୍ଲୀ: ଦିଲ୍ଲୀର ବିଶ୍ୱାସ ନଗରରେ ଆଜି ଭୋର୍ ସମୟରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡ ୟୁନିଟି ମଲ୍ ନିକଟସ୍ଥ ଗଳି ନମ୍ବର-୧୧ରେ ଥିବା ଏକ ଘରର ଇ-ରିକ୍ସା ପାର୍କିଂ ସ୍ଥାନରେ ଘଟିଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ଅଗ୍ନିଶମ ବିଭାଗକୁ ଭୋର୍ ପ୍ରାୟ ୪ଟା ୧୩ ମିନିଟ୍ରେ ଅଗ୍ନିକାଣ୍ଡ ଲାଗିଥିବା ନେଇ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା । ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ଗୋଟିଏ ୱାଟର ଟେଣ୍ଡର, ଗୋଟିଏ ୱାଟର ବାଉଜର ଏବଂ ଗୋଟିଏ କୁଇକ୍ ରେସପନ୍ସ ଭେହିକିଲ୍ ସାମିଲ ଥିଲା । ଅଗ୍ନିଶମ କର୍ମଚାରୀମାନେ ଘରର ମଝି ମହଲାରେ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣ ପ୍ରାୟ ୧୦ ପ୍ରତିଶତ ପୋଡ଼ି ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରି ବର୍ତ୍ତମାନ ନିଆଁକୁ ଆୟତ୍ତ କରିଛନ୍ତି ।
ସେହିପରି ଜଣେ ପଡ଼ୋଶୀଙ୍କ କହିବା ଅନୁଯାୟୀ, ଭୋର୍ ପ୍ରାୟ ୩ଟା ୩୦ ମିନିଟ୍ରେ ନିଆଁ ଲାଗିଥିଲା। ଅଗ୍ନିଶମ ଗାଡ଼ି ପହଞ୍ଚିବା ବେଳକୁ ନିଆଁ ଅଧିକ ମାତ୍ରାରେ ବ୍ୟାପି ସାରିଥିଲା । ଇ-ରିକ୍ସା ଚଳାଉଥିବା ଲୋକମାନେ ଭଡ଼ାରେ ଘର ନେଇ ଗ୍ରାଉଣ୍ଡ ଫ୍ଲୋର୍ରେ ରହୁଥିଲେ। ରାତିରେ ଗୋଟିଏ ଇ-ରିକ୍ସା ଚାର୍ଜିଂରେ ଲାଗିଥିଲା। ନିଆଁ ଲାଗିବା ସମୟରେ ଇ-ରିକ୍ସାରେ ଜୋର୍ରେ ବିସ୍ଫୋରଣ ହୋଇଥିବା ମଧ୍ୟ ପଡ଼ୋଶୀ ଜଣକ କହିଛନ୍ତି ।
ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଶାହଦରାର ଡିସିପି ରାଜେନ୍ଦ୍ର ପ୍ରସାଦ ମୀଣା କହିଛନ୍ତି ଯେ, “ଥାନାକୁ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବିଶେଷ କରି ବିଶ୍ୱାସ ନଗରର ଗଳି ନମ୍ବର-୧୧ରେ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ହସ୍ପିଟାଲ ପଠାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏହି ଘଟଣାରେ ପରବର୍ତ୍ତୀ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ଜଣାପଡ଼ୁଛି । ପ୍ରଥମ ମହଲାରେ ଶୋଇଥିବା ଲୋକମାନେ ଏହାର ପ୍ରଭାବରେ ଆସିଥିଲେ ।” ଏହା ପୂର୍ବରୁ ଦିଲ୍ଲୀର ଗଫର ମାର୍କେଟ୍ରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା ।
