ନୂଆଦିଲ୍ଲୀ: କେନ୍ଦ୍ର ଏନଡିଏ ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ପୁନର୍ଗଠନ (ଡିଲିମିଟେସନ୍) ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍ କରିବାକୁ କଂଗ୍ରେସ ପ୍ରାଣପଣେ ଉଦ୍ୟମ କରୁଛି । କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ବ୍ଲକର ଏକ ଅଂଶିଦାର ଦଳ ଡିଏମକେ ବିଲ୍କୁ ସମର୍ଥନ କରିବ ବୋଲି ଏହାର ନେତା ଏମ.କେ. ଷ୍ଟାଲିନ ଘୋଷଣା କରିବା ପରେ ତାଙ୍କୁ ମନାଇବାକୁ କଂଗ୍ରେସ ନେତୃବର୍ଗ ରବିବାର ଚେନ୍ନାଇରେ ଡେରା ପକାଇଛନ୍ତି । ଏପରି ସ୍ଥଳେ କଂଗ୍ରେସର ଏହି ଉଦ୍ୟମକୁ ଆଉ ଏକ ଝଟ୍କା ଲାଗିବାର ଆଶଙ୍କା ଦେଖାଦେଲାଣି । ମିଳିଥିବା ସୂଚନା ଅନୁଯାୟୀ ‘ଇଣ୍ଡିଆ’ ବ୍ଲକର ଆଉ ଏକ ଅଂଶିଦାର ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିବ ବୋଲି ବିଚାର କରୁଛି ।
ସୋମବାର ଏ ନେଇ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ଅଂଶ ହୋଇଥିବା ଜେଏମ୍ଏମ୍ ଏଯାଏଁ ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ନିଜର ଚୂଡ଼ାନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଶନିବାର ଦଳ ପକ୍ଷରୁ କୁହଯାଇଥିଲା ଯେ ଦଳ ପ୍ରସ୍ତାବିତ ବିଲ୍ର ତର୍ଜମା କରିବା ସହ ଏହା ଝାଡ଼ଖଣ୍ଡ ଉପରେ କି ପ୍ରଭାବ ପକାଇବ, ତାହା ଆକଳନ କରିବା ପରେ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନିଜର ନିଷ୍ପତ୍ତି ଜଣାଇବ।
ତେବେ ଜେଏମ୍ଏମ୍ ଶେଷରେ କେନ୍ଦ୍ରର ପ୍ରସ୍ତାବକୁ ସମର୍ଥନ କରିପାରେ ବୋଲି ଖବର ମିଳିବା ପରେ କଂଗ୍ରେସର ଚିନ୍ତା ବଢିଯାଇଛି । କାରଣ ସରକାରୁ ଅପଦସ୍ଥ କରିବାକୁ କଂଗ୍ରେସ ଏହାକୁ ଏକ ସୁଯୋଗ ବୋଲି ଭାବୁଥିବା ବେଳେ ବିରୋଧୀ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେବାକୁ ଯାଉଛି । ଜେଏମ୍ଏମ୍ର ମୋଟ ୬ ଜଣ ସାଂସଦ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଲୋକସଭା ଏବଂ ଅନ୍ୟ ୩ ଜଣ ରାଜ୍ୟସଭା ସଦସ୍ୟ। ଝାଡ଼ଖଣ୍ଡରେ ମୋଟ ୧୪ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ୫ଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୫୦ ପ୍ରତିଶତ ଆସନ ବୃଦ୍ଧି ଲାଗୁ ହେଲେ ଝାଡ଼ଖଣ୍ଡର ଲୋକସଭା ଆସନ ସଂଖ୍ୟା ୧୪ରୁ ବୃଦ୍ଧି ପାଇ ୨୧ରେ ପହଂଚି ଯାଇପାରେ। ଜେଏମ୍ଏମ୍ ସୂତ୍ର ଅନୁସାରେ, ଦଳ ଆଶା କରୁଛି ଯେ ଏହାଦ୍ୱାରା ଏସ୍ଟି ସଂରକ୍ଷିତ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଜେଏମ୍ଏମ୍ର ଏଭଳି ଆଭିମୁଖ୍ୟ କଂଗ୍ରେସ ପାଇଁ ଆଉ ଏକ ଝଟ୍କା ବୋଲି ବିବେଚନା କରାଯାଉଛି। କାରଣ ନିକଟରେ ଏନ୍ସିପିର ଶରଦ ପାୱାର ଗୋଷ୍ଠୀ ମଧ୍ୟ ଡିଲିମିଟେସନ୍ ପ୍ରସ୍ତାବକୁ ସମର୍ଥନ ଘୋଷଣା କରିଛି।
ଶନିବାର ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରୀ ବାସଭବନରେ ତାଙ୍କ ଅଧ୍ୟକ୍ଷତାରେ ଜେଏମ୍ଏମ୍ ସାଂସଦମାନଙ୍କର ଏକ ବୈଠକ ବସିଥିଲା। ଏଥିରେ ପ୍ରସ୍ତାବିତ ବିଲ୍ଗୁଡ଼ିକର ବିଭିନ୍ନ ଦିଗ ଉପରେ ଆଲୋଚନା ଓ ତର୍ଜମା କରାଯାଇଥିଲା। ଝାଡ଼ଖଣ୍ଡର ସ୍ୱାର୍ଥ, ବିଶେଷକରି ସଂସଦରେ ରାଜ୍ୟର ପ୍ରତିନିଧିତ୍ୱ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ସୁରକ୍ଷିତ ରହିବ କି ନାହିଁ, ତାହା ଉପରେ ଆଲୋଚନା ହୋଇଥିଲା ।ରାଜ୍ୟସଭା ସାଂସଦ ମହୁଆ ମାଝୀ କହିଛନ୍ତି ଯେ ଦଳକୁ ପ୍ରସ୍ତାବିତ ବିଲ୍ର ନକଲ ଶୁକ୍ରବାର ରାତିରେ ହିଁ ମିଳିଥିଲା। ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବିଲ୍ର ସମସ୍ତ ବ୍ୟବସ୍ଥାକୁ ଭଲ ଭାବେ ଅଧ୍ୟୟନ କରିବାକୁ ସାଂସଦମାନଙ୍କୁ କୁହାଯାଇଛି।
