ୟୁକ୍ରେନ୍ ଉପରେ ରୁଷ୍‌ର ଡ୍ରୋନ୍ ଆକ୍ରମଣ, ୧୦ ମୃତ

୧୮

ରୁଷ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଦିନକୁ ଦିନ ଉଭୟ ଦେଶ ମଧ୍ୟରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଶନିବାର ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ୍‌ର ଡ୍ରୋନ୍ ଆକ୍ରମଣରେ ଅତି କମ୍‌ରେ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଅନ୍ୟପଟେ ରୁଷ୍ ମଧ୍ୟ ଦାବି କରିଛି ଯେ, ତା’ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ରାତିସାରା ୧,୨୪୬ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଧ୍ୱଂସ କରିଛି ।

ୟୁକ୍ରେନର ଉତ୍ତର ଚେର୍ନିହିଭ୍ ଅଞ୍ଚଳର ନିଝିନ୍ ସହରରେ ଏକ ପ୍ରତିଷ୍ଠାନ ଉପରେ ରୁଷ୍‌ର ଡ୍ରୋନ୍ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୭ ଜଣ ଆହତ ହୋଇଛନ୍ତି । ସେହିପରି ରାଜଧାନୀ କିଭ୍‌ରେ ମଧ୍ୟ ଆକ୍ରମଣ ହୋଇଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ସହ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । କେବଳ ୟୁକ୍ରେନ୍ ନୁହେଁ, ରୁଷ୍ ଅଧିକୃତ ଜାପୋରିଜିଆ ଅଞ୍ଚଳରେ ମଧ୍ୟ ଡ୍ରୋନ୍ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି । ଏକ ହସ୍ପିଟାଲ୍ ଗାଡ଼ିକୁ ଡ୍ରୋନ୍ ଧକ୍କା ଦେବାରୁ ଜଣେ ନର୍ସ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ହସ୍ପିଟାଲ୍‌ର ମୁଖ୍ୟ ଡାକ୍ତରଙ୍କ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ଏହାରି ମଧ୍ୟରେ ୟୁକ୍ରେନ୍ ବାୟୁସେନା ଦାବି କରିଛି ଯେ, ରାତିସାରା ରୁଷ୍ ପକ୍ଷରୁ ନିକ୍ଷେପ ହୋଇଥିବା ୧୬୨ଟି ଡ୍ରୋନ୍ ମଧ୍ୟରୁ ୧୪୧ଟିକୁ ଧ୍ୱଂସ କରାଯାଇଛି । ତେବେ କିଭ୍ ନିକଟସ୍ଥ ବିଲା ତ୍ସେର୍କଭା ସହରରେ ହୋଇଥିବା ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସ୍ୱୀକାର କରିଛି ଯେ, ତା’ର ସେନା ବିଲା ତ୍ସେର୍କଭାର ଏକ ହିଟ୍ ଆଣ୍ଡ ପାୱାର୍ ପ୍ଲାଣ୍ଟ ଏବଂ କିଭ୍‌ର ଏକ ବିଦ୍ୟୁତ୍ ସବଷ୍ଟେସନ୍‌କୁ ଟାର୍ଗେଟ୍ କରିଛି । ଏହି ଆକ୍ରମଣ ପରେ କିଭ୍‌ର କିଛି ଅଞ୍ଚଳରେ ବିଦ୍ୟୁତ୍ ଓ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ସହରର ମେୟର ଭିଟାଲି କ୍ଲିଚକୋ ଏନେଇ ସତର୍କ କରାଇଛନ୍ତି । ଶୀତଋତୁ ପୂର୍ବରୁ ୟୁକ୍ରେନର ବିଦ୍ୟୁତ୍ ବ୍ୟବସ୍ଥାକୁ ନଷ୍ଟ କରିବାକୁ ରୁଷ୍ ଉଦ୍ୟମ କରୁଥିବା ୟୁକ୍ରେନ୍ ଅଭିଯୋଗ କରିଆସୁଛି । ଏପଟେ ରୁଷ୍ ନିଜ ଅଞ୍ଚଳରେ ମଧ୍ୟ ବଡ଼ ଧରଣର ଡ୍ରୋନ୍ ଆକ୍ରମଣର ସାମ୍ନା କରିଛି । ମସ୍କୋର ମେୟରଙ୍କ ସୂଚନା ଅନୁଯାୟୀ, ମାତ୍ର ୮ ଘଣ୍ଟା ମଧ୍ୟରେ ମସ୍କୋ ଆଡ଼କୁ ଆସୁଥିବା ୧୨୩ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରୁ ମୋଟ ୪୬୨ଟି ଡ୍ରୋନ୍ ମସ୍କୋ ଅଞ୍ଚଳ ଆଡ଼କୁ ଆସିଥିବା ଦାବି କରାଯାଇଛି ।ସେହିପରି ଦକ୍ଷିଣ ରୋସ୍ତୋଭ୍ ଅଞ୍ଚଳରେ ୫୦ରୁ ଅଧିକ ଡ୍ରୋନ୍ ଖସାଯାଇଥିବା ରାଜ୍ୟପାଳ କହିଛନ୍ତି । ତେବେ ନୋଭୋଶାଖ୍ତିନ୍ସ୍କ ସହରର ଏକ ପ୍ରମୁଖ ତୈଳ ବିଶୋଧନାଗାରରେ ଡ୍ରୋନ୍ ମାଡ଼ ହେବା ପରେ ନିଆଁ ଲାଗିଥିବା ନେଇ କିଛି ରୁଷୀୟ ଓ ୟୁକ୍ରେନୀୟ ନ୍ୟୁଜ୍ ଚ୍ୟାନେଲ୍ ଦାବି କରିଛନ୍ତି ।

ଅନ୍ୟପଟେ ସାମାରା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣକୁ ବିଫଳ କରାଯାଇଥିବା ରୁଷ୍ ପକ୍ଷରୁ କୁହାଯାଇଛି । କିନ୍ତୁ ଟେଲିଗ୍ରାମ୍ ଚ୍ୟାନେଲ୍‌ଗୁଡ଼ିକ ଦାବି କରିଛନ୍ତି ଯେ, ଡ୍ରୋନ୍‌ଗୁଡ଼ିକ ରୁଷ୍‌ର ସରକାରୀ ତୈଳ କମ୍ପାନୀ ଟ୍ରାନ୍ସନେଫ୍ଟର ୪ଟି ତୈଳ ପାଇପ୍‌ଲାଇନ୍‌ର ସଂଯୋଗସ୍ଥଳକୁ ଟାର୍ଗେଟ୍ କରିଥିଲା । ଏହି ମାସରେ ଏହା ଦ୍ୱିତୀୟ ଆକ୍ରମଣ ବୋଲି ଦାବି କରାଯାଇଛି । ଏହାସହ ୟୁକ୍ରେନ୍ ସୀମାକୁ ଲାଗିଥିବା ବ୍ରାୟାନ୍ସ୍କ ଅଞ୍ଚଳରେ ଏକ କମ୍ପାନୀର ବସ୍ ଉପରେ ଡ୍ରୋନ୍ ପଡ଼ିବାରୁ ୯ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ରୁଷ୍‌ର ଭିତର ଅଞ୍ଚଳରେ ଥିବା ସାମରିକ ଓ ରଣନୈତିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ୟୁକ୍ରେନ୍ ନିଜସ୍ୱ ଭାବେ ବିକଶିତ ଦୀର୍ଘ ଦୂରଗାମୀ ଅସ୍ତ୍ର ବ୍ୟବହାର କରୁଛି । ଏହି କ୍ରମରେ ଗତ ସପ୍ତାହାନ୍ତରେ ଲିବିଆର ଏକ ବନ୍ଦରରେ ଠିଆ ହୋଇଥିବା ରୁଷ୍‌ର ଏକ ନୌସେନା ଜାହାଜ ଉପରେ ସାମୁଦ୍ରିକ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା ୟୁକ୍ରେନ୍ ।ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଏହି ଲଗାତାର ଡ୍ରୋନ୍ ଆକ୍ରମଣ ଯୁଦ୍ଧକୁ ଆହୁରି ଜଟିଳ କରିବା ସହ ଉଭୟ ଦେଶର ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।

Share