ନିଜ ନିଷ୍ପତ୍ତିରେ ଅଟଳ ଷ୍ଟାଲିନ: ନିରାଶ ହୋଇ ଫେରିଲେ ରାହୁଲ, ସୋନିଆ, ଖଡ୍‌ଗେ

୨୦

ନୂଆଦିଲ୍ଲୀ: ସଂସଦରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ନ ହେଉଣୁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ବ୍ଲକ୍ କୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଚାଲିଛି । ବ୍ଲକର ଅଂଶିଦାରମାନେ ବିଲ୍‌କୁ ସମର୍ଥନ କରିବାକୁ ବାହାରିବାରୁ କଂଗ୍ରେସ ଅକଳରେ ପଡିଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ୱରେ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କ ଏକ ପ୍ରତିନିଧି ଦଳ ରବିବାର ଚେନ୍ନାଇରେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କୁ ଭେଟିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଷ୍ଟାଲିନ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିବାରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସାମିଲ ଥିବା ଏହି ପ୍ରତିନିଧି ମଣ୍ଡଳୀ ଖାଲି ହାତରେ ଦିଲ୍ଲୀ ଫେରି ଆସିଛନ୍ତି ।

ମିଳିଥିବା ଖବର ଅନୁସାରେ, ଚେନ୍ନାଇରେ ରବିବାର ଅନୁଷ୍ଠିତ ବୈଠକରେ ଡିଏମ୍‌କେ ବାରମ୍ବାର ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ପ୍ରଶ୍ନ କରିଥିଲା ଯେ ଏହି ବିଲ୍‌ର ବିକଳ୍ପ କ’ଣ ଏବଂ ଆଗାମୀ ରଣନୀତି କ’ଣ ହେବ? ଏହାର ଉତ୍ତରରେ କେବଳ ବିଲ୍‌କୁ ପରାସ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଏହା ପରେ କ’ଣ କରାଯିବ, ସେ ନେଇ କୌଣସି ସ୍ପଷ୍ଟ ରଣନୀତି ଉପସ୍ଥାପନ କରାଯାଇନଥିଲା। ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନେ ମଧ୍ୟ ବିଲ୍‌କୁ ପରାସ୍ତ କରିବା ବ୍ୟତୀତ ଅନ୍ୟ କୌଣସି ସ୍ପଷ୍ଟ ରଣନୀତି ନଥିବା ସ୍ୱୀକାର କରିଥିବା ସୂଚନା ମିଳିଛି।
ବୈଠକ ପରେ ଏମ୍‌.କେ. ଷ୍ଟାଲିନ କହିଛନ୍ତି, “ମୁଁ ଆମର ଆଭିମୁଖ୍ୟ ଓ ଦାବି ସମ୍ପର୍କରେ ସେମାନଙ୍କୁ ଜଣାଇଛି। ସେମାନେ ଆମ କଥା ଶୁଣିଥିଲେ ଏବଂ ଆମେ ପରସ୍ପର ମଧ୍ୟରେ ମତ ବିନିମୟ କରିଥିଲୁ। ଆମର ଚିନ୍ତା ହେଉଛି, ଯଦି ଆମେ ଏହି ସୁଯୋଗ ହାତଛଡ଼ା କରିଦେବୁ, ତେବେ ତାମିଲନାଡୁର ସ୍ୱାର୍ଥ ସୁରକ୍ଷା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ମଧ୍ୟ ରହିବ ନାହିଁ। କାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ଡିଲିମିଟେସନ୍ ଲାଗୁ ହୋଇଯିବ ।’

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ଷ୍ଟାଲିନ ଜୀଙ୍କ ସହ ଆମର ଏକ ଅତ୍ୟନ୍ତ ଭଲ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ହୋଇଥିଲା। ଆମେ ତାଙ୍କୁ ଆମର ଆଭିମୁଖ୍ୟ ବୁଝାଇଥିଲୁ। ଆମେ କହିଥିଲୁ ଯେ ୮୫୦ ଆସନ ବିଶିଷ୍ଟ ସଂସଦ ଗଠନ କରି ଡିଲିମିଟେସନ୍ ମାଧ୍ୟମରେ ବିଜେପିକୁ ଭାରତର ନିର୍ବାଚନମଣ୍ଡଳୀଗୁଡ଼ିକର ସ୍ୱରୂପ ସମ୍ପୂର୍ଣ୍ଣ ବଦଳାଇବାର ସୁଯୋଗ ଦେବା କେବଳ ଦେଶ ପାଇଁ କ୍ଷତିକାରକ ନୁହେଁ, ବରଂ ଦକ୍ଷିଣ ଭାରତ ଏବଂ ବିଶେଷକରି ତାମିଲନାଡୁ ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହେବ ।’
ଋବିବାର ଆଲୱାରପେଟ୍‌ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଏଥିରେ ସୋନିଆ, ରାହୁଲ, ଖଡଗେଙ୍କ ସମେତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ଥିଲେ। ଷ୍ଟାଲିନଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ଏହି ନେତାମାନେ ଉଦ୍ୟମ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନ ଥିଲା ।

Share