ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଜିଲ୍ଲାରେ ଘଟିଥିବା ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳ ଏଏସଆଇ ସୀମାଞ୍ଚଳ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ପୂର୍ବରୁ ପୀଡ଼ିତାଙ୍କ ଏତଲା ରଖି ନଥିବା ଅଭିଯୋଗ ହୋଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଗଣମାଧ୍ୟମରେ ଖାମଖିଆଲି ଭାବେ ମନ୍ତବ୍ୟ ମଧ୍ୟ ଦେଇଥିଲେ, ଯାହାକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି ।
ଅନ୍ୟପଟେ ଏସପି ନିଜେ ଏହି ଘଟଣାରେ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରୁଛନ୍ତି । ବର୍ତ୍ତମାନ ପୀଡିତାଙ୍କ ଶବବ୍ୟବଚ୍ଛେଦ ପାଇଁ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳୁଛି । କଡା ସୁରକ୍ଷା ବଳୟ ମଧ୍ୟରେ ଏସସିବିରେ ଛାତ୍ରୀଙ୍କ ମୃତ ଦେହ ପହଞ୍ଚିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏସପିଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ସନ୍ଦେହ ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି କାରଣ କ’ଣ ତଦନ୍ତ କରିବୁ ବୋଲି ଏସପି କହିଛନ୍ତି ।
ସେପଟେ ପୀଡିତାଙ୍କ ବାପା ବଡ ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅଙ୍କୁ ତାଙ୍କ ପୁରୁଷ ବନ୍ଧୁ ୬ ମାସ ହେଲା ବ୍ଲାକମେଲ କରୁଥିଲା । ବାପା କହିଛନ୍ତି, ସେ ପିଲା ମୋ ପାଖକୁ ମୋ ଝିଅର ଅଶ୍ଳୀଳ ଫଟୋ ପଠାଉଥିଲା । ମୋ ପୁଅ ଫୋନ୍, ମୋ ଭାଇର ଫୋନ୍ ସମସ୍ତଙ୍କ ଫୋନକୁ ପଠାଉଥିଲା । ଏନେଇ ମୁଁ ଥାନାର ଦ୍ୱାରସ୍ଥ ହୋଇଥିଲି, ହେଲେ ସେ ଶୁଣି ନଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ସେପଟେ ଛାତ୍ରୀ ଦାଦାଙ୍କ ଅଭିଯୋଗ ପୋଲିସର ଅବହେଳା ପାଇଁ ଏଭଳି ଏକ ଘଟଣା ଘଟିଛି ତେଣୁ ବଦଳି କରାଯାଇଥିବା ପୋଲିସକୁ ସସ୍ପେଣ୍ଡ କରାଯିବା ସହ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।
ତେବେ ପୋଲିସ୍ ଏନେଇ ଛାନଭିନ୍ ଆରମ୍ଭ କରିଥିବା ବେଳେ ବ୍ଲାକମେଲ୍ କରୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବା ସୂଚନା ରହିଛି ।
