କେନ୍ଦ୍ରାପଡା : କେନ୍ଦ୍ରାପଡା ଛାତ୍ରୀ ଜଳିଯିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିରୋଧୀ ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୁଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା ତେବେ ଆଜି ସେ ଛାତ୍ରୀ ଜଣକ ଜୀବିତ ରହିଥାନ୍ତେ । ପୁଲିସ ପାଖକୁ ଏଲତଲା ଦେବାକୁ ଯାଇଥିବା ବେଳେ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଳୀଳ ଭିଡ଼ିଓ ଡିଲିଟ କରିବାକୁ ଓ ମୋବାଇଲ୍ ଅଫ୍ କରିବାକୁ କହି ଚୁପ୍ ବସିଥିଲେ ।
ପ୍ରଥମରୁ ଆକ୍ସନ ନେଇଥାନ୍ତେ ତେବେ ଏତେ ବଡ ଅଘଟଣ ଘଟିନଥାନ୍ତା । ଘଟଣା ପାଇଁ ପୁଲିସ ପ୍ରଶାସନକୁ ଦାୟୀ କରିଛି ବିଜେଡି । ଏହାସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ପାଇଁ ରାଜ୍ୟ ସରକାର ଦାୟୀ । ବର୍ତ୍ତମାନ ଚାରିଆଡେ ନାରୀ ହିଂସା, ଦୁଷ୍କର୍ମ ମାମଲା ବଢିଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ପୁଲିସ ଅପାରଗ ପାଲଟିଛି । ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ସୁରକ୍ଷା ଦେବାକୁ ବିଜେଡି ଦାବି କରିଛି ।
