ବେଗୁନିଆ : ଯୁବକଙ୍କୁ ଦଳିଦେଲା ଦନ୍ତା । କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଛି । ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ନିଧିପୁର ଆଦିବାସୀ ସାହିର ସୁଶାନ୍ତ ପ୍ରଧାନ । ସେ ଜଣେ ଟେଣ୍ଟହାଉସ କର୍ମଚାରୀ । ନିଜର କାମ ସାରି ଭୋରୁ ଘରକୁ ଫେରୁଥିବା ସମୟରେ କଲରାଝର ରାସ୍ତାରେ ଏକ ଦନ୍ତା ହାବୁଡ଼ାରେ ପଡ଼ିଥିଲେ । ଦନ୍ତାଟି ଯୁବକୁ ଦଳି ମାରିଦେଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଜଣେ ଯୁବକଙ୍କୁ ଦନ୍ତା ଆକ୍ରମଣ କରି ମାରି ଦେଇଥିଲା । ଆଜିର ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ କ୍ଷତିପୂରଣ ସହ ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ସେହିପରି ଗତ ଦୁଇ ଦିନ ତଳେ ଢେଙ୍କାନାଳ ଜିଲ୍ଲାରେ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ । କାଜୁ ବଗିଚାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଜୟନ୍ତୀଙ୍କ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ସମ୍ପୂର୍ଣ୍ଣ ଦଳି ଚକଟି ପକାଇଥିଲା । ଗ୍ରାମବାସୀ ଏବଂ ବନ ବିଭାଗ ମିଶି ତାଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

