Ps 5

ନବରଙ୍ଗପୁର : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ସ୍କୁଲ ତଦନ୍ତ କମିଟିର ରିପୋର୍ଟ ଆଧାରରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନଶିକ୍ଷକଙ୍କ ଅସଦାଚରଣ ନେଇ ନିଜେ ନାବାଳିକା ଟାଉନ ଥାନାର ଦ୍ୱାରସ୍ତ ହୋଇଛନ୍ତି । ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ନବରଙ୍ଗପୁର ଜି ଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର । ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହିତ ପରିବାର ସଦସ୍ୟ  ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।

ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ ।  ଏ ନେଇ ପିଡ଼ିତା ଓ ତାଙ୍କ ପରିବାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ।  କେବଳ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଜିଲ୍ଲା ମଙ୍ଗଳ ବିଭାଗ ଚୁପ ରହିଗଲା ବୋଲି ଅଭିଯୋଗ ହୋଇଥିଲା  ।

ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଥିବା ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ଅପରପକ୍ଷରେ ଏ ଘଟଣା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସ୍କୁଲ କମିଟିର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

Share