Sng

ସୁନ୍ଦରଗଡ଼ : ବିହାରୀ ଠକ ଗ୍ୟାଙ୍ଗ ଗିରଫ ।  ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଧରାପଡ଼ିଲା ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, ୭ ମୋବାଇଲ ଫୋନ, ବିଭିନ୍ନ ରତ୍ନ ପଥର ଓ ଲୁଟ୍ ସୁନା ଗହଣା ଜବତ କରାଯାଇଛି। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା ।

ଗତକାଲି ପାଞ୍ଚ ଜଣ ଅଜଣା ବ୍ୟକ୍ତି ଧୋତି-ଗାମୁଛା ପିନ୍ଧି, ଚିତା ଲଗାଇ ସିଦ୍ଧ ପଣ୍ଡିତ ଭାବେ ଗାଁର ଗୋବର୍ଦ୍ଧନ ଓରାମଙ୍କ ଘରେ ପ୍ରବେଶ କରିଥିଲେ। ହିନ୍ଦୀରେ କଥାବାର୍ତ୍ତା କରି ଘରେ ଗ୍ରହଦଶା ଓ ବିପଦ ଥିବା କହି ଗୋବର୍ଧନଙ୍କ ପରିବାରକୁ ଭୟଭୀତ କରିଥିଲେ। ଗୋବର୍ଦ୍ଧନଙ୍କ ସ୍ତ୍ରୀଙ୍କୁ ନିଜ ପରିବାରପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ଠାରୁ ଟଙ୍କା ଓ ଗହଣା ଦାବି କରିଥିଲେ।

ଭୟରେ ଗୋବର୍ଦ୍ଧନଙ୍କ ପତ୍ନୀ ସେମାନଙ୍କୁ ଟଙ୍କା ଓ ଗହଣା ଦେଇ ଦେବାରୁ ସେସବୁ ନେଇ ଚମ୍ପଟ ମାରିଥିଲେ ଠକ ଗ୍ୟାଙ୍ଗ୍ । ଘଟଣା ସମ୍ପର୍କରେ ଗୋବର୍ଦ୍ଧନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ପୋଲିସ ଟିମ ବିଭିନ୍ନସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ଠକ ଗ୍ୟାଙ୍ଗକୁ ଗିରଫ କରିଥିଲା। ଧରାପଡ଼ିଥିବା ସମସ୍ତେ ବିହାରର ଔରଙ୍ଗାବାଦ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ କହିଛି। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏପରି ଠକମାନଙ୍କୁ ପ୍ରଶ୍ରୟ ନ ଦେବାକୁ ପୋଲିସ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି।

Share