ବୈପାରୀଗୁଡା : ଅନ୍ଧ ବିଶ୍ଵାସ କରୁଣ ପରିଣତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ବ୍ଳକ ଘୁମର ପଂଚାୟତର ଝଡିଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି ଗାଁର ନାରାୟଣ ମିନରବାଲିଆ । ସୂଚନା ମୁତାବକ ଝଡିଗୁଡାର କମଲଚନ କରଲିଆ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ଗତ କାଲି ରାତିରେ ଗୁଣିଆ ଭାବେ ଔଷଧ ଦେବା ପାଇଁ ନାରାୟଣ ମିନରବାଲିଆ କମଲଚନଙ୍କ ଘରକୁ ଯାଇଥିଲେ । ହେଲେ ରାତିରେ କମଲଚନଙ୍କ ହଠାତ୍ ମୃତ୍ୟୁ ହୋଇଥିଲା ।
କମଲଚନଙ୍କୁ ଗୁଣିଗାରେଡ଼ି କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ଘରକୁ ଆସିଥିବା ନାରାୟଣ ମିନରବାଲିଆଙ୍କ ଉପରେ ସନ୍ଦେହ ବଢିଯାଇଥିଲା । ଏହାପରେ ପ୍ରତିଶୋଧ ପରାୟଣ ହୋଇ କମଲଚନଙ୍କ ବଡ଼ ଭାଇ ହରିବନ୍ଧୁ କରଲିଆ ନାରାୟଣଙ୍କୁ ହତ୍ୟା କରିଛନ୍ତି । କାଠ ଫାଳିଆ ସାହାଯ୍ୟରେ ନାରାୟଣଙ୍କ ମୁହଁ ଏବଂ ମୁଣ୍ଡରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ପ୍ରଦାନ ପାଇଁ ଦାବୀ ହୋଇଛି । ଘଟଣା ସ୍ଥଳରେ ବୈପାରୀଗୁଡା ଥାନା ଅଧିକାରୀ ଏବଂ କୋରାପୁଟ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

