ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବାଚସ୍ପତି ଏହି ସମ୍ବେଦନଶୀଳ ମାମଲାରେ ସମ୍ପୂର୍ଣ୍ଣ ଏକତରଫା ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ବିଜେଡିକୁ ନିଜର ନ୍ୟାଯ୍ୟ ଯୁକ୍ତି ଉପସ୍ଥାପନ କରିବା ପାଇଁ କୌଣସି ସୁଯୋଗ ଦେଇନାହାନ୍ତି । “ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଆମେ ହାଇକୋର୍ଟ ଯାଇଛୁ। ଏବେ ମାନବୀୟ ନ୍ୟାୟାଳୟ ଏହି ଘଟଣାର ତର୍ଜମା ଓ ବିଚାର କରିବେ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ଅଛି,” ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ଅନ୍ୟପକ୍ଷରେ, ଶାସକ ଭାରତୀୟ ଜନତା ପାର୍ଟିଏହି ପ୍ରସଙ୍ଗରେ ନିଜର ଯୁକ୍ତି ରଖିଛି। ବିଜେପିର କହିବା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ନିଜର ବିବେକ ଓ ଇଚ୍ଛା ଅନୁଯାୟୀ ମତଦାନ କରିଥାନ୍ତି ଏବଂ ଏଭଳି ନିର୍ବାଚନରେ ସାଧାରଣତଃ ଦଳୀୟ ହ୍ୱିପ୍ ସିଧାସଳଖ ଲାଗୁ ହୁଏ ନାହିଁ । ଦଳର ବରିଷ୍ଠ ନେତାମାନଙ୍କ ମତ ନନେଇ ବିଜେଡି ସଭାପତି ପ୍ରାର୍ଥୀ ଚୟନ କରିଥିବାରୁ ଅସନ୍ତୁଷ୍ଟ ହୋଇ କିଛି ବିଧାୟକ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ଠିଆ ହୋଇନଥିଲେ । ତେବେ ଆଇନର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଗକୁ ହାଇକୋର୍ଟ ଏହି ମାମଲାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରାଜ୍ୟ ରାଜନୀତିର ନଜର ରହିଛି ।
