କଫ୍ ସିରପ୍ ଚାଲାଣ ବେଳେ ନିଶା ମାଫିଆକୁ ଏନକାଉଣ୍ଟର

Encounter

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କଫ୍ ସିରପ୍ ଚୋରାଚାଲାଣ ବେଳେ ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି । ରେଙ୍ଗାଲି ଥାନା ଅଞ୍ଚଳର ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଏହି ଘଟଣା ଘଟିଛି । ଆଜି ଭୋରରୁ ପାଟ୍ରୋଲିଂ ବେଳେ ଜଙ୍ଗଲ ରାସ୍ତା ଦେଇ ଦୁଇଟି କାର୍ ଆସିଥିଲା। କତରବଗା–ଠେଲକୋଲୋଇ ଅଞ୍ଚଳକୁ ଦୁଇଟି କାରରେ ବିପୁଳ ପରିମାଣର କଫ୍ ସିରପ୍ ଚୋରାଚାଲାଣ ହେଉଥିଲା ।

ସୂଚନା ଅନୁସାରେ, ଆଜି ଭୋରୁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ରାସ୍ତା ଦେଇ ଦୁଇଟି କାର୍ ଆସୁଥିବା ଦେଖିଥିଲା । କତରବଗା-ଠେଲକୋଲୋଇ ଅଞ୍ଚଳକୁ ଏହି ଦୁଇଟି ଗାଡ଼ିରେ ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ହେଉଥିବା ପୋଲିସ ସନ୍ଦେହ କରି ଗାଡ଼ିଗୁଡ଼ିକୁ ଅଟକାଇଥିଲା । ପ୍ରଥମ ଗାଡ଼ିକୁ ଅଟକାଇ ପୋଲିସ ଡ୍ରାଇଭର ଆଶୁତୋଷ ମେଣ୍ଡଲିଙ୍କୁ ଧରିଥିଲା । ତେବେ ପଛରେ ଆସୁଥିବା ଦ୍ୱିତୀୟ ଗାଡ଼ିଟି ନମ୍ବରବିହୀନ ଥିବା ବେଳେ ପୋଲିସକୁ ଦେଖି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା ।

ପୋଲିସ କର୍ମଚାରୀମାନେ ଗାଡ଼ି ନିକଟକୁ ଯିବା ବେଳେ ଡ୍ରାଇଭର ପ୍ରୀତମ ବିଶ୍ୱାଳ ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ତାଙ୍କୁ ପିଛା କରୁଥିବା ସମୟରେ ପ୍ରୀତମ ପୋଲିସ କର୍ମଚାରୀଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ପ୍ରତିଗୁଳି ଚଳାଯାଇଥିବା ବେଳେ ପ୍ରୀତମ ବିଶ୍ୱାଳଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ପ୍ରୀତମଙ୍କୁ ଚିକିତ୍ସା ପାଇଁ ରେଙ୍ଗାଲି ସିଏଚ୍‌ସିକୁ ସ୍ଥାନାନ୍ତର କରାଯାଇଛି । ଗାଡ଼ିଗୁଡ଼ିକର ଯାଞ୍ଚ ବେଳେ ପୋଲିସ ପ୍ରଥମ ଗାଡ଼ିରୁ ୨୦ କାର୍ଟୁନ କୋଡିନ୍ ଯୁକ୍ତ କଫ୍ ସିରପ୍ ଜବତ କରିଛି। ଅନ୍ୟ ଏକ କାରରୁ ୪କାର୍ଟନ୍ କୋଡିନ୍ ଯୁକ୍ତ କଫ୍ ସିରପ୍ ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, 9MM ପିସ୍ତଲ ଏବଂ ୫ଟି ଖାଲି ଖୋକା ଜବତ କରିଛି ପୋଲିସ ।

Share