ନୂଆଦିଲ୍ଲୀ: ଜନଗଣନାକୁ ନେଇ ବଡ଼ ଘୋଷଣା ସାମ୍ନାକୁ ଆସିଛି । ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ୨୦୨୭ ଜାନୁଆରୀ ମାସରୁ ଆରମ୍ଭ ହେବ ଜନଗଣନା (Population Census 2027) । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସେହିପରି ୨୦୨୭ ମାର୍ଚ୍ଚ ୧ ତାରିଖକୁ ରେଫରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ମାର୍ଚ୍ଚ ୧ ତାରିଖ (୦୦:୦୦ ଘଣ୍ଟା)କୁ ଆଧାର କରି ଦେଶର ଜନସଂଖ୍ୟା ହିସାବ କରାଯିବ। ଆହୁରି ମଧ୍ୟ ଗଣନା ଆରମ୍ଭ ହେବା ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଅନଲାଇନ ଜରିଆରେ ନିଜେ ତଥ୍ୟ ପୂରଣ କରିବା (ସ୍ବ-ଗଣନା)ର ସୁବିଧା ରହିବ। ଜନସାଧାରଣ ୨୦୨୭ ଜାନୁଆରୀ ୧୦ରୁ ଜାନୁଆରୀ ୨୪ ମଧ୍ୟରେ ଏହି ସ୍ୱ-ଗଣନା କରିପାରିବେ। ଏହା ପରେ ମୂଳ ଗଣନା ସରିବା ପରେ ୨୦୨୭ ମାର୍ଚ୍ଚ ୧ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଏକ ସଂଶୋଧନ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ।
କେଉଁ ଅଞ୍ଚଳଗୁଡ଼ିକ ବାଦ ପଡ଼ିବ ?
ଏହି ଜନଗଣନା ସମଗ୍ର ଦେଶରେ ଏକକାଳୀନ ହେଉଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଏଥିରୁ ବାଦ ଦିଆଯାଇଛି। ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରକ୍ରିୟା ରହିଛି ଏବଂ ଅତ୍ୟଧିକ ବରଫପାତ ହେଉଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ ଏହି ସମୟସୂଚୀ ଲାଗୁ ହେବ ନାହିଁ।
ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ମଣିପୁର (ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ), ଗୋଆ, ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ ଏବଂ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀର ଭଳି ତୁଷାରପାତ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜନଗଣନା ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ମଧ୍ୟରେ କରାଯିବ ।
