Konark 696x413

ଗୋପ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପ୍ରକ୍ରିୟା ପାଇଁ ଆଉ ପାଦେ ଆଗେଇଲା ପ୍ରତ୍ନତତ୍ତ୍ୱ ବିଭାଗ। ମାଡ୍ରାସ ଆଇଆଇଟି ଦ୍ୱାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଞ୍ଚ ପରେ ରିପୋର୍ଟ ଦିଆଯାଇଛି। ବାଲି କାଢ଼ିଲେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନଥିବା ରିପୋର୍ଟରେ ଦର୍ଶାଯାଇଛି।
ଗତ ୨୦ ତାରିଖରୁ ମନ୍ଦିରର ପଶ୍ଚିମପଟେ ପ୍ରଥମ ପର୍ଯ୍ୟାୟରେ ଟନେଲ୍‌ ନିର୍ମାଣ ଆରମ୍ଭ ହୋଇଛି। ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ମନ୍ଦିର ପଶ୍ଚିମପଟେ ମନ୍ଦିର ପାଦଦେଶରୁ ୮୦ଫୁଟ ଉଚ୍ଚରେ ଟନେଲ ନିର୍ମାଣ ହେବା ପୂର୍ବରୁ ମନ୍ଦିର ଗର୍ଭଗୃହ ମଧ୍ୟରେ ଥିବା ବାଲିର ନମୁନା ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ଓ ଆଇଆଇଏମ ଭୁବନେଶ୍ବର ପଠାଯାଇଥିଲା। ଏହି ନମୁନାର ଯାଞ୍ଚ ରିପୋର୍ଟ ଆସିବା ପରେ ମନ୍ଦିର ଗର୍ଭଗୃହକୁ ସୁରକ୍ଷିତ ଭାବେ ଟନେଲ ନିର୍ମାଣ କରି ବାଲି କଢ଼ା ଯାଇ ପାରିବ ବୋଲି ଜଣାପଡ଼ିଛି। ସୁରକ୍ଷିତ ବାଲି କାଢ଼ିବା ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ଗର୍ଭଗୃହକୁ ସଂଯୋଗ ବାଟ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୨୦ ତାରିଖରୁ ଟନେଲ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ପରେ ମାନୁଆଲ କିମ୍ବା ଅଟୋମେଟିକ ରୋବଟିକ ଟ୍ରଲି ପ୍ରବେଶ କରି ବାଲି କଢ଼ାଯିବ। ବାଲି କେବେ କଢ଼ାଯିବ ଏ ନେଇ ଠିକ୍ ତାରିଖ ଜଣାପଡ଼ିନାହିଁ। ଏ ସମ୍ପର୍କରେ ଏଏସ୍ଆଇ ପୁରୀ ସର୍କଲ ସହକାରୀ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ କହିଛନ୍ତି, ୨୦୨୫ ଡିସେମ୍ବର ୮ରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମାଡ୍ରାସସ୍ଥିତ ଆଇଆଇଟିକୁ ପଠାଯାଇଥିଲା। ବର୍ତ୍ତମାନ ମାଡ୍ରାସ ଆଇଆଇଟିରୁ ଆସିଥିବା ରିପୋର୍ଟରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଦର୍ଶାଯାଇଛି। ଗୁରୁବାର କେନ୍ଦ୍ରୀୟ ବିଶେଷଜ୍ଞ କମିଟି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପରେ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ କରାଯିବ।

Share