Murder

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ପାଟଣା ଗ୍ରାମରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ହତ୍ୟା ପରେ ମୃତଦେହକୁ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ରାତିରେ ଅଜଣା ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସୋଗର ପାଟଣା ଗ୍ରାମର ପ୍ରଭାକର ମହାରଣାଙ୍କ ପୁଅ ନରହରି(୩୭) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ନରହରି ଘରୁ ବାହାରିଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତ ମାନେ ପଥରରେ ଛେଚି ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ପାଖରେ ଥିବା ଜଙ୍ଗଲ ଅଞ୍ଚଳରେ ଫିଙ୍ଗି ଦେଇଥିବା କୁହାଯାଉଛି। ଆଜି ସକାଳୁ ଗ୍ରାମବାସୀମାନେ ଜଙ୍ଗଲ ନିକଟରେ ମୃତଦେହ ପଡ଼ିଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ପରେ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ହତ୍ୟା ପଛରେ ପୁରୁଣା ଶତ୍ରୁତା ନା କୌଣସି ଅନ୍ୟ କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଘଟଣା ପରେ ସମଗ୍ର ସୋଗର ପାଟଣା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। କିଏ ଏବଂ କାହିଁକି ନରହରିଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛିl

Share