କୋଲକତା : ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ସେନା କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ସଙ୍ଗୀନ ଅଭିଯୋଗ ଆସିଛି । କୋଲକତା ସ୍ଥିତ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଫୋର୍ଟ ୱିଲିୟମ୍ସର ଆର୍ମି ଅର୍ଡିନାନ୍ସ କୋରରେ ମୁତୟନ ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ ବାଲିଙ୍କ ବିରୋଧରେ ଅଭିଯୋଗ କାନପୁରର ଏକ ବେସରକାରୀ ସଂସ୍ଥା ‘ଇଷ୍ଟର୍ଣ୍ଣ ଗ୍ଲୋବାଲ୍ ଲିମିଟେଡ୍’ (Eastern Global Limited) କୁ ବେଆଇନ ଭାବେ ସାହାଯ୍ୟ କରୁଥିଲେ । ବେସରକାରୀ କମ୍ପାନୀକୁ ବେଆଇନ ଭାବେ ଫାଇଦା ପହଞ୍ଚାଇବା ପାଇଁ ନିଜ ପଦବୀର ଅପବ୍ୟବହାର କରିଥିଲେ । ଟେଣ୍ଡର ପ୍ରକ୍ରିୟାରେ ହେରଫେର କରିବା ସହ ସେନା ପାଇଁ ନିମ୍ନମାନର ସାମଗ୍ରୀର ନମୁନାକୁ ସେ ସବୁଜ ସଙ୍କେତ ଦେଇଥିଲେ । ସେହି କମ୍ପାନୀର ବହୁ ଦିନରୁ ବାକି ଥିବା ଏବଂ ବଢ଼ାଯାଇଥିବା ବିଲ୍ ଗୁଡ଼ିକୁ ସହଜରେ ପାସ୍ କରାଇଦେବା ପାଇଁ ସେ ମୋଟା ଅଙ୍କର ଡିଲ୍ କରିଥିଲେ ।
ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କର୍ଣ୍ଣେଲ ଲାଞ୍ଚ ଟଙ୍କା ପାଇଁ କାନପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ସେଟିଂ କରିଥିଲେ । ବ୍ୟବସାୟୀ ଜଣକ ସେହି ସମୟରେ ନଗଦ ଟଙ୍କା ନାହିଁ ବୋଲି କହିବା ପରେ କର୍ଣ୍ଣେଲ ସିଧାସଳଖ ବ୍ୟବସାୟୀଙ୍କ ଡ୍ରାଇଭରକୁ ଫୋନ୍ କରିଥିଲେ । ଟଙ୍କାଗୁଡ଼ିକୁ କର୍ଣ୍ଣେଲଙ୍କ ଜଣେ ପରିଚିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।
ସେନା ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସିବିଆଇ ଧରିବା ପାଇଁ ଜାଲ ବିଛେଇଥିଲା । କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରାଯାଇଛି । CBI ଦ୍ୱାରା ରୁଜୁ ହୋଇଥିବା ଏଫଆଇଆର୍ ଅନୁସାରେ, ଇଷ୍ଟର୍ଣ୍ଣ ଗ୍ଲୋବାଲ୍ ଲିମିଟେଡର ନିର୍ଦ୍ଦେଶକମାନେ ସେନାର ବଡ଼ ବଡ଼ ଟେଣ୍ଡର ହାତେଇବା ପାଇଁ ଏହି ଲାଞ୍ଚ ଦେଇଥିଲେ । ଚଳିତ ବର୍ଷ ଆରମ୍ଭରେ ଏହି କମ୍ପାନୀକୁ ମିଳିଥିବା ଏକ ପ୍ରମୁଖ ଟେଣ୍ଡର ବଦଳରେ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା କେନ୍ଦ୍ରୀୟ ଏଜେନ୍ସି ଦାବି କରିଛି ।

