ବ୍ରହ୍ମପୁର: ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକକୁ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି ବୁଲା କୁକୁର ପଲ । ନାବାଳକର ଖପୁରୀର ଗୋଟିଏ ସ୍ଥାନ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ପାଟପୁର ଗାନ୍ଧୀ ଛକ ଠାରୁ ଅଳ୍ପ ଦୂରରେ କୁକୁର ଛୁଆ ଶୋଇଥିବା ବେଳେ ନାବାଳକ ଜଣକ ଅଳ୍ପ ଦୂରରେ ଖେଳୁଥିଲା । ହଠାତ ଚାରିରୁ ପାଞ୍ଚ ଗୋଟି କୁକୁର ନାବାଳକୁ ଧରି ଝୁଣିବାକୁ ଲାଗିଥିଲେ । ପିଲାଟି ଚିତ୍କାର କରିବା ପରେ ଲୋକ ମାନେ ଆସି କୁକୁରକୁ ଘଉଡ଼ାଇଥିଲେ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ନିକଟରେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଥିଲେ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁ ଓ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ସ୍ଥାନରେ ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲାକୁକୁରଙ୍କ ଆକ୍ରମଣରୁ ବାଦ ପଡ଼ୁନାହାନ୍ତି । ଦେଶର ବିଭିନ୍ନ ସହରରେ ବୁଲାକୁକୁରଙ୍କ ଆକ୍ରମଣ ନେଇ ଶତାଧିକ ଥାନାରେ ରିପୋର୍ଟ ହେବା ପରେ ଏହି ପ୍ରସଙ୍ଗରେ ରାୟ ଦେଇଛନ୍ତି ଅଦାଲତ ।

