ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାରାବଙ୍କି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେପୁର ଥାନା ଅଞ୍ଚଳର ଝାନସା ଗାଁରେ ଏକ ଦ୍ରୁତଗାମୀ ଡମ୍ପର ଧକ୍କା ଦେବାରୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲକ୍ଷ୍ନୌର ଡକ୍ଟର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ରେଫର କରାଯାଇଛି ।
ସୂଚନା ଅନୁଯାୟୀ, ବିଦ୍ୟୁତ୍ ତାର ସଟ୍ ଯୋଗୁଁ ପରିବାର ସଦସ୍ୟ ଘର ବାହାରେ ଶୋଇଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଏକ ଡମ୍ପର ନିୟନ୍ତ୍ରଣ ହରାଇ ପ୍ରଥମେ ଗୋଟିଏ ଗଛରେ ପିଟି ହୋଇଥିଲା । ପରେ ଘର ବାହାରେ ଶୋଇଥିବା ପରିବାରର ସଦସ୍ୟଙ୍କୁ ଚାପି ଦେଇଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଘଟିଥିଲା ।
ସେପଟେ ଘଟଣା ପରେ ସମସ୍ତଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ନୀରଜ (୩୫) , ଅନୁରାଗ (୧୩), ଅଂଶୁ (୬) ଏବଂ ଅଂଶିକା (୧୦)ଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ସ୍ତ୍ରୀ ଆରତୀ (୩୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲକ୍ଷ୍ନୌର ଡକ୍ଟର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ରେଫର କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତ ଡମ୍ପର ଡ୍ରାଇଭର ଫେରାର୍ ଥିବା କୁହାଯାଉଛି ଏବଂ ପୋଲିସ ତାଙ୍କୁ ଖୋଜୁଛି ।

