ଅନୁଗୁଳ: ୭ ଘଣ୍ଟାର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି । ଗତ ୨୦ ତାରିଖରେ ଚନ୍ଦନପୁର ଏବଂ ମଧୁପୁରରେ ଦୁଇ ଜଣଙ୍କୁ ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ରାସ୍ତା ଅବରୋଧ କରି ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଦାବି କରିଥିଲେ । ଆଜି ସକାଳୁ ଅନୁଗୋଳ କୁସୁମପାଟ ଜଙ୍ଗଲରେ ଆରମ୍ଭ ହୋଇଥିଲା ହାତୀକୁ କାବୁ କରିବା ପାଇଁ ମେଗା ଅପରେସନ। ଘଟଣାସ୍ଥଳରେ ଖୋଦ୍ ଡିଏଫଓ ଏବଂ ଏସିଏଫ ଉପସ୍ଥିତ ରହି ସାରା ପ୍ରକ୍ରିୟାର ସମୀକ୍ଷା କରୁଥିଲେ ।
ଗୋଟିଏ କି ଦୁଇଟି ନୁହେଁ, ଅନୁଗୋଳ, ସାତକୋଶିଆ, କପିଳାସ ଓ ନନ୍ଦନକାନନରୁ ଆସିଥିବା ୩ଟି ବିଶେଷ ଗ୍ରାଉଣ୍ଡ ଟିମ୍ ମିଶନରେ ସାମିଲ ହୋଇଥିଲେ । ଦୀର୍ଘ ୭ ଘଣ୍ଟାର କସରତ ପରେ ଶେଷରେ କୁସୁମପାଟ ଜଙ୍ଗଲରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ବା ଅଚେତ କରାଯାଇଛି। ବର୍ତ୍ତମାନ ହାତୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । କାବୁ ପରେ ହାତୀକୁ ପ୍ରଥମେ କୁଲାସିଂହା ନର୍ସରୀକୁ ନିଆଯାଇଛି ଏବଂ ପରବର୍ତ୍ତୀ ସମୟରେ ତାକୁ ଶିମିଳିପାଳ ଅଭୟାରଣ୍ୟକୁ ପଠାଯାଇପାରେ ବୋଲି ବନ ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଅନୁଗୋଳ ସିନିୟର ରିପୋର୍ଟର ମାନସ ମିଶ୍ର ।

