ନୂଆଦିଲ୍ଲୀ : ଦିଲ୍ଲୀ ନ୍ୟୁ ଅଶୋକ ନଗର ଅଞ୍ଚଳରେ ଦିଲ୍ଲୀ ୟୁନିଭରସିଟିର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ହତ୍ୟା ମାମଲାରେ ପୋଲିସ ବଡ଼ ଖୁଲାସା କରିଛି । ଏହି ହତ୍ୟାକାଣ୍ଡ ସହିତ ଜଡିତ ଜଣେ ମହିଳା ଏବଂ ପୁରୁଷକୁ ପୋଲିସ ଗିରଫ କରିଛି । ହତ୍ୟା ପଛର କାରଣ ସଂପତ୍ତି ବିବାଦ ପ୍ରମୁଖ କାରଣ ବୋଲି ପୋଲିସ କହିଛି ।
ଖବର ମୁତାବକ, ଡିୟୁ ପ୍ରଫେସର ହତ୍ୟା ପରେ ଦିଲ୍ଲୀ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ଏକ ଟିମ୍ ଗଠନ କରିଥିଲା । ଏହି ଟିମ୍ ୪ ଟି ରାଜ୍ୟରେ ତଲାସୀ କରିଥିଲା । ହତ୍ୟା ମାମଲା ତୁଟାଇବା ପାଇଁ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ରାଡାରରେ ରଖିଥିଲା । ପୋଲିସ ଲଗାତାର ଅଭିଯୁକ୍ତକୁ ଖୋଜିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଥିଲା । ଯାଞ୍ଚ ସମୟରେ ପୋଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଧାରରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସଫଳ ହୋଇଥିଲା ।
ଦିଲ୍ଲୀ ପୋଲିସ ଟିମ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଚଢାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ ଅଧିକାରୀଙ୍କ ମୁତାବକ, ଗିରଫଦାରୀରୁ ବଞ୍ଚିବା ପାଇଁ ଏବଂ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଅଭିଯୁକ୍ତ ନିଜ ସାଥିରେ ଜଣେ ପିଲାକୁ ନେଇ ଆସିଥିଲେ ।
ତେବେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଥିଲା କି, ମ୍ତକ ପ୍ରଫେସର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଚାଲୁଥିଲା । ଏହି ବିବାଦ ପରେ ଗମ୍ଭୀର ରୂପ ନେଇ ହତ୍ୟାରେ ପରିଣତ ହୋଇଥିଲା । ଏହି ମାମଲାରେ ଆଉ କିଏ ସଂପୃକ୍ତି ରହିଛି ଏବଂ କେବେ ହତ୍ୟା ପାଇଁ ଷଡଯନ୍ତ୍ର ରଚାଯାଇଥିଲା, ତାହାର ତଦନ୍ତ କରୁଛି ପୋଲିସ ।
ପୋଲିସ ପଶ୍ଚିମବଙ୍ଗରୁ ଗିରଫ କରିଥିବା ୨ ଜଣ ଦିଲ୍ଲୀରେ ପହଞ୍ଚିବା ପରେ କୋର୍ଟରେ ହାଜର କରାଯିବ । ଦିଲ୍ଲୀ ପୋଲିସ ତାଙ୍କ ରିମାଣ୍ଡ ନେଇପାରେ । ରିମାଣ୍ଡ ସମୟରେ ପୋଲିସ ହତ୍ୟା ସହିତ ଜଡ଼ିତ ଜିନିଷ ଯାଞ୍ଚ କରିବ ।
ସୂଚନାଯୋଗ୍ୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରଫେସରଙ୍କୁ ବସୁନ୍ଧରା ଏନକ୍ଲେଭରେ ଥିବା ତାଙ୍କ ଫ୍ଲାଟରେ ହତ୍ୟା କରାଯାଇଥିଲା । ମୃତକ ଦେବସ୍ମିତା ପାଉଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ସହକାରୀ ପ୍ରଫେସର ଥିଲେ ଏବଂ ବସୁନ୍ଧରା ଏନକ୍ଲେଭରେ ଏକ ଫ୍ଲାଟରେ ଏକା ରହୁଥିଲେ ।

