ନରସିଂହପୁର : ଗୁଣି ସନ୍ଦେହରେ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୨୫ ଗ୍ରାମବାସୀ ଗିରଫ । କଟକ ମବ୍ ଲିଞ୍ଚିଂ ଘଟଣାରେ ହତ୍ୟା ଓ ଶବ ପୋଡ଼ିବା ଅଭିଯୋଗରେ ୨୫ ଗିରଫ, ଥରିଲା ସାରା ଗାଁ । ଆଧୁନିକ ସମାଜରେ ଆଜି ବି ଅନ୍ଧବିଶ୍ୱାସ କେତେ ଭୟଙ୍କର ରୂପ ନେଇପାରେ, ତାର ଏକ ଅତି ବର୍ବର ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲାରୁ । ମାଣିଆବନ୍ଧ ଥାନା ଅନ୍ତର୍ଗତ ତାଳମୁଣ୍ଡୁଳି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଗ୍ରାମବାସୀ ମିଶି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ, ଅପରାଧ ଲୁଚାଇବା ପାଇଁ ଜଙ୍ଗଲରେ ଶବକୁ ପୋଡ଼ି ପ୍ରମାଣ ନଷ୍ଟ କରିଦେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଗ୍ରାମର ୨୫ ଜଣଙ୍କୁ ଗିରଫ କରିସାରିଛି । ମୃତ ଯୁବକଜଣକ ହେଉଛନ୍ତି ଶ୍ୱେତ ବେହେରାଙ୍କ ପୁଅ ଟିକମ ବେହେରା ।
ଗ୍ରାମରେ କାହାରି ଦେହ ଖରାପ ହେଲେ ବା ପରିବାରରେ ସମସ୍ୟା ଦେଖାଦେଲେ, ଲୋକେ ଟିକମଙ୍କୁ ଦାୟୀ କରୁଥିଲେ ଏବଂ ସେ ଗୁଣି କରୁଥିବା ସନ୍ଦେହ କରୁଥିଲେ। ଗତ ମେ’ ୧୦ ତାରିଖ ରାତି ପ୍ରାୟ ୧୧ଟା ବେଳେ, ଯେତେବେଳେ ଗ୍ରାମରେ ଚନ୍ଦନ ଯାତ୍ରା ଉତ୍ସବ ଚାଲିଥିଲା, ସେତିକିବେଳେ କିଛି ଲୋକ ଟିକମଙ୍କୁ ତାଙ୍କ ଘରୁ ଜବରଦସ୍ତ ଘୋଷାରି ଆଣି ଗ୍ରାମ ସଭାକୁ ନେଇଯାଇଥିଲେ । ସେଠାରେ ଉତ୍ୟକ୍ତ ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପିଟି ପିଟି ଜୀବନ ଚାଲିଯିବା ପରେ, ସେମାନେ ଶବକୁ ନିକଟସ୍ଥ ଜଙ୍ଗଲକୁ ନେଇ ପୋଡ଼ି ଦେଇଥିଲେ । ୭ ବର୍ଷ ପୂର୍ବରୁ ଟିକମଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ । ସେ ଗ୍ରାମରେ ନିଜ ବଡ଼ ଭାଇ ଓ ଭାଉଜଙ୍କ ସହ ରହୁଥିଲେ । ଗ୍ରାମବାସୀ ଯେତେବେଳେ ଟିକମଙ୍କୁ ଘୋଷାରି ନେଉଥିଲେ, ଭାଇ ଓ ଭାଉଜ ତାହା ନିଜ ଆଖିରେ ଦେଖିଥିଲେ । କିନ୍ତୁ ସାରା ଗ୍ରାମ ଏକଜୁଟ୍ ହୋଇଥିବାରୁ, ଭୟରେ ସେମାନେ ପୋଲିସକୁ କିଛି ଜଣାଇନଥିଲେ । ଦିନକ ପରେ ସାମ୍ନାକୁ ଆସିଥିଲା ସତ୍ୟ । ଟିକମଙ୍କ ବାପା ଶ୍ୱେତ ବେହେରା ପାଖ ଗୋଜାପଡ଼ା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ପୁଅର ଏହି କରୁଣ ପରିଣତି ବିଷୟରେ ଜାଣିବା ପରେ ସେ ମେ’ ୧୮ ତାରିଖ ରାତିରେ ମଣିଆବନ୍ଧ ଥାନାରେ ଏଫ୍ ଆଇଆର୍ (FIR) ଦାୟର କରିଥିଲେ ।
ଏହାପରେ ପୋଲିସ ତୁରନ୍ତ ଆକ୍ସନ ମୋଡ୍ କୁ ଆସିଥିଲା । କଟକ (ଗ୍ରାମାଞ୍ଚଳ) ଏସପି ବିନୀତ ଅଗ୍ରୱାଲ ଏହି ବର୍ବର କାଣ୍ଡର ତଦନ୍ତ ପାଇଁ ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ତିନୋଟି ପୋଲିସ ଟିମ୍ ଗଠନ କରିଛନ୍ତି। ସାଇଣ୍ଟିଫିକ୍ ଓ ଫୋରେନ୍ସିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ନମୁନା ସଂଗ୍ରହ କରିଛନ୍ତି । ଜଣେ ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ଜଙ୍ଗଲରୁ ଅଧାପୋଡ଼ା ଅସ୍ଥି ଓ ଶରୀରର କିଛି ଅଂଶ ଜବତ କରାଯାଇଛି । ଏପର୍ଯ୍ୟନ୍ତ ୨୫ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ଆଗକୁ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ।

