ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଗଢ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ପହଞ୍ଚି ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ଏହି ଘଟଣା ଡେରାଡୁନର ପାନସିଆ ହସ୍ପିଟାଲରେ ଦେଖିବାକୁ ମିଳିଥିଲା । ଆଇସିୟୁ ୱାର୍ଡରେ ଏୟାର କଣ୍ଡିସନର ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ସମଗ୍ର କୋଠାକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଏବେ ନିଆଁକୁ ନିୟନ୍ତ୍ରଣ କରିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଗଢ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡରେ କେହି ସିଧାସଳଖ ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି । ଏସି ଫାଟିବା ପରେ ଆଇସିୟୁ ଏବଂ ଆଖପାଖ ଅଞ୍ଚଳରେ ଧୂଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଯାହା ଦ୍ବାରା ରୋଗୀମାନଙ୍କର ନିଶ୍ବାସ ନେବା କଷ୍ଟକର ହୋଇପଡିଥିଲା । ଏହା ମଧ୍ୟ କମିଶନର କହିଛନ୍ତି ଯେ, ହସ୍ପିଟାଲଟି ପାନାସିଆ ଗ୍ରୁପ୍ ଦ୍ୱାରା ଲିଜ୍ ରେ ପରିଚାଳିତ ହେଉଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଏବଂ ହସ୍ପିଟାଲର ଫାୟାର ସେପ୍ଟିଗୁଡିକର ନିର୍ଣ୍ଣୟ କରିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ।

