ଉତ୍ତରପ୍ରଦେଶ: ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ ଥର ବାନ୍ଦା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଏବଂ ଏସିଆରେ ତୃତୀୟ ଭାବେ ଚିହ୍ନଟ ହୋଇଛି।ବାନ୍ଦା ଜିଲାରେ ଦିନର ତାପମାତ୍ରା ୪୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହା ଗତ ୭୫ ବର୍ଷ ମଧ୍ୟରେ ୧୮ ମଇରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା।
ପୂର୍ବରୁ ୨୭ ଏପ୍ରିଲ, ୨୦୨୬ ରେ ବାନ୍ଦାରେ ମଧ୍ୟ ୪୭.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା।ଏହି ସମୟରେ, ଗତ କିଛି ଦିନ ଧରି ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିଛି। ଫଳସ୍ୱରୂପ,ଭାରତ ପାଣିପାଗ ବିଭାଗ (IMD) ବୁଧବାର ଜାତୀୟ ରାଜଧାନୀ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି।ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି।ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ । ଝାଞ୍ଜି ପବନ ସାଙ୍ଗକୁ ପ୍ରବଳ ଗରମରେ ଜନଜୀବନ ଆଉଟୁପାଉଟୁ ହୋଇପଡିଲେଣି। ସକାଳ ୯ଟାରୁ ବଢିବାରେ ଲାଗିଛି ଖରାର ପ୍ରକୋପ । ତାତି ବଢିବା ସହ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ଦେଖାଯାଇଛି।

