Rape

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ମହିଳା ରହିଥିବା ସୂଚନା ରହିଛି । ମୁଖ୍ୟ ଅଭିଯୁକ୍ତର ପରିଚୟ ରାଜା ବେସନ (୨୪) ବୋଲି ଜଣାପଡିଛି । ତାକୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ (୨୦) ଏବଂ ତୃପ୍ତି ନାଏକ (୧୯) ନାମକ ଜଣେ ଯୁବତୀ ଏଥିରେ ସହଯୋଗ କରିଥିଲେ ।

ପୋଲିସର ସୂଚନା ମୁତାବକ, ପୀଡ଼ିତାଙ୍କ ପିଉସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଜଗିବାକୁ ପିଉସୀଙ୍କ ସହ ପୀଡ଼ିତା ଆସିଥିଲେ । ସେ ଏକାକୀ ଥିବା ଦେଖି ମେଡିକାଲ ପରିସରରେ ଏକ ସୁରକ୍ଷିତ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।

ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ଏୟାରପୋର୍ଟ ଥାନା ପୋଲିସ ଏକ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରଥମେ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରିଥିଲା । ଏହାପରେ ତଦନ୍ତ କରି ଫେରାର ହେବାକୁ ଚେଷ୍ଟା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ ମଧ୍ୟ ପୋଲିସ କାବୁ କରିଥିଲା । ଅଭିଯୁକ୍ତ ତିନି ଜଣକୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଏକ ଜନଗହଳିପୂର୍ଣ୍ଣ ଏବଂ ସୁରକ୍ଷିତ ସ୍ଥାନରେ ଜଣେ ନାବାଳିକାଙ୍କ ସହ ଏଭଳି ଦୁଷ୍କର୍ମ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

 

Share